ନୂଆଦିଲ୍ଲୀ: ଶନିବାର ଦେଶର ବିଭିନ୍ନ ସ୍ଥାନରେ ଏନ୍ଆଇଏ ଚଢ଼ାଉ କରି ୯ ଅଲକାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ଣ୍ଣାକୁଲମରେ ଏନଆଇଏ ଅଲକାଏଦା ମଡ୍ୟୁଲଗୁଡିକ ଉପରେ ଚଢ଼ଉ କରି ଦୁଇ ରାଜ୍ୟରୁ ୯ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ୯ ଅଲ-କାଏଦା ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କୁ ଏର୍ଣ୍ଣାକୁଲମ ଏବଂ ୬ ଜଣଙ୍କୁ ମୁର୍ସିଦାବାଦରୁ ଗିରଫ କରାଯାଇଛି । ଗିରଫ ହୋଇଥବା ଆତଙ୍କବାଦୀଙ୍କ ବୟସ ୨୦ମଧ୍ୟରେ ରହିଥିବା ବେଳେ ସେମାନେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି । ଏର୍ଣ୍ଣାକୁଲମରୁ ଗିରଫ ହୋଇଥିବା ୩ଜଣ ହେଲେ ମୁରସିଦ ହସନ, ୟାକୁବ ବିଶ୍ୱାସ ଏବଂ ମୋସରାଫ ହୋସେନ । କେରଳ ପୋଲିସ ସୂତ୍ରରୁ ପ୍ରକାଶ ଯେ ଏର୍ନାକୁଲମରୁ ଗିରଫ ହୋଇଥିବା ତିନିଜଣ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ଏବଂ ସେମାନେ କେରଳର ସବୁଠାରୁ ବଡ ଅତିଥି ଶ୍ରମିକ ବସ୍ତି ପେରୁମ୍ବାଭୁରରେ ଏବଂ ଆଖପାଖରେ ରହୁଥିଲେ । ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ଅନ୍ୟ ୬ଜଣ ହେଉଛନ୍ତି ମୁର୍ସିଦାବାଦର ନାଜମୁସ୍ ସାକିବ, ଆବୁ ସୁଫିଆନ୍, ମେନୁଲ୍ ମୋଣ୍ଡାଲ୍, ଲିୟୁ ୟେନ୍ ଅହମ୍ମଦ, ଅଲ୍ ମାମୁନ୍ କମଲ ଏବଂ ଅତିତୁର ରେହମାନ । କେରଳ ଏବଂ ପଶ୍ଚିମବଙ୍ଗର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିବା ପରେ ଏନଆଇଏ ଶନିବାର ଦିନ ପାକିସ୍ତାନର ଅଲ-କାଏଦା ସହ ସଂପର୍କ ଥିବା ଏହି ୯ଜଣଙ୍କୁ ଗିରଫ କରିଛି । ଅଲ-କାଏଦା ଆତଙ୍କବାଦୀମାନେ ଅସ୍ତ୍ର ବିତରଣ ପାଇଁ କଶ୍ମୀର ଯିବାକୁ ଯୋଜନା କରିଥିଲେ । ଆତଙ୍କବାଦ ବିରୋଧୀ ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ଗିରଫ ସନ୍ଦିଗ୍ଧ ଆତଙ୍କବାଦୀଙ୍କଠାରୁ ଏନଆଇଏ ଡିଜିଟାଲ ଉପକରଣ, ଡକ୍ୟୁମେଣ୍ଟ, ଜିହାଦି ସାହିତ୍ୟ, ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛି ।