କେରଳ ମୁହାଁ ବରୀର ଦାଦନ ଶ୍ରମିକ

0 77

ବରୀ : ଗତ ମାର୍ଚ୍ଚ ମାସରୁ କରୋନା କବଳରେ ସାରା ଦେଶ । କରୋନା ପାଇଁ ଲକ୍ଷଲକ୍ଷ ଲୋକ ସେମାନଙ୍କ ବେଉସା ହରାଇ ଆର୍ଥିକ ଅନାଟନରେ ପଡିଛନ୍ତି । ସ୍ଥିତି ସ୍ୱାଭାବିକ ହେବ ଓ କରୋନା କବଳରୁ ଦେଶ ମୁକ୍ତ ହେବ ଏହି ଆଶାରେ ୬ ମାସ ଅପେକ୍ଷା କରି ରହିଥିବା ଲୋକମାନଙ୍କ ମୁହଁରୁ ହସ ଲିଭି ସାରିଛି । ନିଜ ଗାଁ ଭୂଇଁ ଛାଡି ନିଜ ପିଲା ପରିବାର ପାଇଁ ରାଜ୍ୟ ବାହାରେ ଦିନରାତି ଏକ କରି ଖଟୁଥିବା ବହୁ ଦାଦନ ଶ୍ରମିକ କରୋନା ଆରମ୍ଭ ସମୟରେ ନିଜ ଜୀବନ ବଂଚାଇବାକୁ ଚାଲି ଆସିଥିଲେ ନିଜନିଜ ଗାଁ କୁ । କିଏ ଚାଲିଚାଲି ତ କିଏ ଗାଡି ମଟର ଓ ଟ୍ରେନରେ ଚାଲି ଆସିଥିଲେ । ଲକ୍ଷ ଥିଲା ଜୀବନ ବଂଚାଇବା । ଜୀବନ ସିନା ବଂଚିଗଲା ହେଲେ ଜୀବିକା ମରିଗଲା ନିଜ ଗାଁ ଓ ରାଜ୍ୟରେ । ଫେରନ୍ତା ଶ୍ରମିକମାନଙ୍କୁ କାମ ମିଳିବ, ସେମାନେ ନିଜ ପରିବାରକୁ ଚଳାଇ ପାରିବେ ଏହି ଭଳି ଅନେକ ପ୍ରତିଶୃତି ଦେଇଥିବା ସରକାରଙ୍କ ଏହି ସବୁ ପ୍ରତିଶୃତି ପାଣିର ଗାର ହୋଇଗଲା । ହେଲେ ହଜାରହଜାର ଶ୍ରମିକ ଜୀବିକା ହରାଇ ଘରେ ନିଜ ପିଲା ଛୁଆଙ୍କୁ ଦେଖି ଲୁହ ଝରାଇବା ସାର ହେଲା । କରୋନାର ପ୍ରକୋପ କମିବା ବଦଳରେ ଦିନକୁ ଦିନ ବଢି ଚାଲିବା ସହିତ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଆଗକୁ ଏହି ରୋଗ ଯେ କମିବ ସେ ନେଇ କୈାଣସି ସମ୍ଭାବନା ମଧ୍ୟ ନାହିଁ । ସତେ ଯେମିତି ଜୀବନ ଜୀବିକାର ଦୋଛକିରେ ପଡିଯାଇଛନ୍ତି ଏହି ଦାଦନ ଶ୍ରମିକ ମାନେ । ଦିନକୁ ଦିନ ଅଭାବ ଅନାଟନ ପାରିବାରିକ ସ୍ଥିତିକୁ ବିଗାଡି ଦେଉଥିଲାବେଳେ ପୁଣି ଗୋଡ କାଢିଛନ୍ତି ଏହି ଦାଦନ ଶ୍ରମିକ ମାନେ । ଜୀବନକୁ ବାଜି ଲଗାଇ ପୁଣି ଫେରି ଯାଉଛନ୍ତି ବିଭିନ୍ନ ରାଜ୍ୟକୁ । ସାରା ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ଶ୍ରମିକ ବିଭିନ୍ନ ରାଜ୍ୟକୁ ଚାଲି ଯାଉଥିଲାବେଳେ ବରୀ ବ୍ଲକରୁ ମଧ୍ୟ ବହୁ ଶ୍ରମିକ ବିଭିନ୍ନ ରାଜ୍ୟକୁ ଚାଲିଯାଉଥିବା ଦେଖିବାକୁ ମିଳିଛି । ଗତ ଶନିବାର ସଂଧ୍ୟାରେ କେରଳ ରାଜ୍ୟର ଏକ ବସ ବରୀରେ ପହଂଚିଥିଲାବେଳେ ସେହି ବସରେ ୫୦ରୁ ଉଦ୍ଧ୍ୱର୍ ଯୁବକ ଯାଇଛନ୍ତି କେରଳ । ସାମାଜିକ ଦୂରତାକୁ ଫୁ କରି ମିଳିତ ହୋଇ ଏମାନେ ଯାଇଥିଲାବେଳେ ନିର୍ଭୟ ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯାଇ ସେମାନଙ୍କ ପ୍ରତିକ୍ରିୟା ନେଲାବେଳେ ସେମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ମାଲିକ କହିଛନ୍ତି ସେଠାକୁ ଗଲେ ପରୀକ୍ଷା କରାଯିବ । ଯାହାର ପଜିଟିଭ ବାହାରିବ ତାଙ୍କୁ ସଂଗରୋଧରେ ରଖାଯିବ । ଅନ୍ୟ ମାନଙ୍କୁ କାମରେ ଲଗାଯିବା । ଆଉ କେତେଦିନ ଗାଁରେ ଭୋକ ଉପାସରେ ପଡିରହିବୁ । ଜୀବନକୁ ବାଜି ଲଗାଇ ଭଗବାନଙ୍କୁ ଡାକି ନିଜର ତଥା ନିଜ ପରିବାରର ପେଟ ଚାଖଣ୍ଡକ ପାଇଁ ଯାଉଛୁ । ଯାହା ଭଗବାନଙ୍କ ଇଚ୍ଛା । ଏଠାରେ ପ୍ରଶ୍ନ ଉଠେ ଯାଜପୁର ଜିଲା ଶିଳ୍ପ ବିକାଶର କେନ୍ଦ୍ର । ଏଠାରେ ପ୍ରତିଷ୍ଠା ହୋଇଥିବା ଶିଳ୍ପରେ ରାଜ୍ୟବାହାରର ଶ୍ରମିକ କାମ ପାଉଥିଲାବେଳେ ଜିଲ୍ଲାର ଯୁବକ ମାନେ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି ।

Leave A Reply

Your email address will not be published.