କୋହଲି ହରାଇଲେ ୱାର୍ନରଙ୍କୁ

0 71

ଆର୍‌ସିବିର ପ୍ରଥମ ବିଜୟ

ଦୁବାଇ: ଆଇପିଏଲ୍‌-୧୩ର ଆଉ ଏକ ବଡ଼ ଲଢ଼େଇରେ ମଙ୍ଗଳବାର ଡେଭିଡ୍ ୱାର୍ନରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ହରାଇଛି ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଆଜି ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୩ ରନ୍‌ କରିବା ସହ ପରାଜିତ ହୋଇଥିଲା।

ଅଧିନାୟକ ଭାବେ କୋହଲିଙ୍କ ୫୦ତମ ବିଜୟ
୧୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୮ ରନ୍‌ରେ ଅଧିନାୟକ ଡେଭିଡ୍ ୱାର୍ନର (୬)ଙ୍କୁ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍‌ରେ ହରାଇଥିଲା। ଏହା ପରେ ମନୀଷ ପାଣ୍ଡେ (୩୪) ଓ ଜନି ବେୟାରଷ୍ଟୋ (୬୧) ଦ୍ବିତୀୟ ୱିକେଟ୍‌ରେ ୭୧ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ତେବେ ସ୍ପିନର ୟୁଜବେନ୍ଦ୍ର ଚହଲ ଦୁଇଟି ବଲ୍‌ରେ ବେୟାରଷ୍ଟୋ ଓ ବିଜୟ ଶଙ୍କର(୦)ଙ୍କୁ ଆଉଟ୍ କରି ଆର୍‌ସିବିକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଏହା ପରେ ସନ୍‌ରାଇଜର୍ସ ଅପ୍ରତ୍ୟାଶିତ ଓ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ‌ହୋଇ ୧୯.୪ ଓଭରରେ ଅଲଆଉଟ୍ ହୋଇ ଯାଇଥିଲା। ତିନିଟି ଋତୁ ପରେ ଆର୍‌ସିବି ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା ବେଳେ ଅଧିନାୟକ ଭାବେ ବିରାଟ କୋହଲି ୫୦ତମ ବିଜୟ ପାଇ ମହେନ୍ଦ୍ର ସିଂହ ଧୋନି (୧୦୫), ଗୌତମ ଗମ୍ଭୀର (୭୧)ଓ ରୋହିତ ଶର୍ମା (୬୦)ଙ୍କ କ୍ଲବ୍‌ରେ ସ୍ଥାନ ପାଇଥିଲେ। ସେପଟେ ପ୍ରତିପକ୍ଷ ଅଧିନାୟକ ଡେଭିଡ୍ ୱାର୍ନର (୪୮ ମ୍ୟାଚ୍) ଆଇପିଏଲ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇବାରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୪୭)ଙ୍କୁ ଟପିଥିଲେ। ଆଇପିଏଲ୍‌ରେ ସର୍ବାଧିକ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଥିବା ବିଦେଶୀ ଖେଳାଳିଙ୍କ ମଧ୍ୟରେ ନିଜ ଦେଶର ଆଦାମ ଗିଲକ୍ରିଷ୍ଟ (୭୧) ଓ ସେନ୍ ୱର୍ନ (୫୫) ଙ୍କ ପଛକୁ ସେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କ ମୋଡ଼ବଦଳାଇଲା ଭଳି ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Leave A Reply

Your email address will not be published.