ଘୃଣ୍ୟ ଓ କଳଙ୍କିତ ଅଧ୍ୟାୟ

0 71

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଡ୍ରଗ୍ସ ଲିଙ୍କରେ ପହଞ୍ଚିବା ପରେ ଏନସିବି ତଦନ୍ତ ଏବେ ଜୋର ଧରିଛି । ଏନସିବି ତଦନ୍ତରେ ବଲିଉଡର ଲଜ୍ଜ୍ୟାଜନକ ଚେହେରା ସାମ୍ନାକୁ ଆସିଛି । ବଲିଉଡର ଆଗଧାଡିର ଅଭିନେତା ଅଭିନେତ୍ରୀ ଡ୍ରଗ୍ସ ମାମଲାରେ ସାମିଲ ଥିବା ଜଣାପଡ଼ିଛି । ସୁଶାନ୍ତ ସିଂ ରାଜପୁତ୍ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍କୁ ନେଇ ଏବେ ସାରା ବଲିଉଡ୍ ଏଥିରେ ଘାଣ୍ଟିଚକଟି ହେବା ନିଶ୍ଚିତ ଲାଗୁଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ନାର୍କୋଟିକ୍ସ ଟିମ୍ ଗୋଟିଏ ଦିଗକୁ ତଦନ୍ତ କରୁ କରୁ ସେଥିରେ ଯେ ବଲିଉଡ୍ର ଦିନକୁ ଦିନ କାହିଁ କେତେ ନାମ ସାମ୍ନାକୁ ଆସୁଛି ତାହା ବାସ୍ତବିକ ଖୁବ୍ ସମ୍ବେଦନଶୀଳ ଓ ସ୍ପର୍ଶକାତର ପ୍ରସଙ୍ଗ ମନେହୁଏ । ଏନସିବି ତଦନ୍ତ ଆଗକୁ ବଢ଼ିବା ସହ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂହଙ୍କ ଆଦି ନାଁ ମଧ୍ୟ ଏହି ମାମଲାରେ ସାମିଲ ହୋଇସାରିଛି । ସେହିପରି ଆଗକୁ ଆହୁରି ଅନେକଙ୍କ ନାମ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । ଗତ ଶନିବାର ଦିନ ଧର୍ମା ପ୍ରଡକ୍ସନ ନିର୍ଦେଶକ କ୍ଷିତିଜ ପ୍ରସାଦଙ୍କୁ ଏନସିବି ପଚରାଉଚୁରା ପାଇଁ ଡାକିଥିଲା । କ୍ଷିତିଜ ପ୍ରସାଦଙ୍କୁ ପଚରାଉଚୁରା ପରେ ଏନସିବି ଗିରଫ କରିଥିଲା । ଏନସିବି ସୂତ୍ର ଅନୁଯାୟୀ, କ୍ଷିତିଜ ରବି ପ୍ରସାଦଙ୍କ ଘରେ ଏନସିବି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଛି । ବାସ୍ତବିକ ଏହିସବୁ ଘଟଣା ଜଣାପଡ଼ିବା ପରେ ଯେଉଁ ଅଭିନେତା ଅଭିନେତ୍ରୀଙ୍କୁ ନେଇ ଦର୍ଶକମାନେ ତାଙ୍କୁ ମୁଣ୍ଡରେ ବସାଉଥିଲେ ତାଙ୍କୁ ଏବେ ଆଉ ସେ ପାହ୍ୟା ମିଳିବ ନାହିଁ, ଏହା ସୁସ୍ପଷ୍ଟ । ବଲିଉଡ୍ ଯେ ଏବେ ଡ୍ରଗ୍ସ ମାଫିଆଙ୍କ ଗନ୍ତାଘର ପାଲଟିଛି ତାହା କହିଲେ କିଛି ଭୁଲ୍ ହେବନାହିଁ । ଡ୍ରଗ୍ସ ଜାଲରେ ବଲିଉଡ ସୁନ୍ଦରୀମାନଙ୍କ ନାମ ନିଶ୍ଚିତ ଭାବେ ଏକ କଳଙ୍କିତ ଅଧ୍ୟାୟ । ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରଠୁ ଅବୈଧ ଡ୍ରଗ୍ସ ସେବନ ଓ ନିଶା କାରବାରରେ ବଲିଉଡର ଅନେକ ନାମିଦାମୀ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ଏବେ ଏହି କାରବାର ପଛରେ ଯେଉଁମାନେ ବି ଥା’ନ୍ତୁ ନା କାହିଁକି ଜଣ ଜଣ କରି ସମସ୍ତଙ୍କୁ ଏନ୍ସିବି ଖୋଜି ବାହାର କରିବା ଉଚିତ୍ । କାରଣ ଗୋଟିଏପଟେ ଫିଲ୍ମର ନାୟକ, ନାୟିକା ଭାବେ ସେମାନଙ୍କ ଗର୍ବ ଓ ଅହଂକାର ଚରମସୀମାରେ ଥାଏ, ତା ସାଙ୍ଗକୁ ବିପୁଳ ଅର୍ଥ । ପ୍ରଚୁର ଅର୍ଥବଳରେ ସେମାନଙ୍କ ପାଇଁ ସାତ ଖୁଣ୍ ମାଫ୍ ଭଳି ଯାହା ସେମାନେ ବିଚାରୁଥିଲେ ଏବେ ସେଥିରେ ଅଙ୍କୁଶ ଲାଗିବା ନିଶ୍ଚିତ । ଜଣେ ସାଧାରଣ ବ୍ୟକ୍ତି ପାଇଁ ଏହି ମାମଲାରେ ଯେଉଁ ଦଣ୍ଡବିଧାନ ରହିଛି ସେଲିବ୍ରେଟିଙ୍କ ପାଇଁ ସମାନ ଦଣ୍ଡବିଧାନ ବି ଲାଗୁ ହେବା ଉଚିତ୍ । ନହେଲେ ଅନ୍ୟ କଳାକାରମାନେ ବି ଏଭଳି ନିଶାରୁ ମୁକୁଳିପାରିବେ ନାହିଁ । ଆଉ ଅସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ୟଙ୍ଗ୍ ଟ୍ୟାଲେଣ୍ଟେଡ୍ଙ୍କ ଜୀବନଦୀପ ଯେଭଳି ଲିଭିଗଲା ସେଭଳି ଅନ୍ୟ କଳାକାରଙ୍କ କ୍ଷେତ୍ରରେ ନଆସୁ । ବୋଧହୁଏ ସୁଶାନ୍ତଙ୍କ ମୃତ୍ୟୁ ପରୋକ୍ଷରେ ବଲିଉଡ୍ର ଏଭଳି କଳା ଅନ୍ଧକାର ଦିଗକୁ ଉନ୍ମୋଚିତ କରିଛି । ଅନ୍ୟପକ୍ଷରେ ବଲିଉଡ୍ର ବହୁ ଚଳଚ୍ଚିତ୍ର ଆନ୍ତର୍ଜାତୀୟ କ୍ଷେତ୍ରରେ ବହୁ ସୁନାମ ଆଣୁଥିବା ବେଳେ ବଲିଉଡ୍ର ଏଭଳି ଘୃଣ୍ୟ ଓ କଳଙ୍କିତ ଅଧ୍ୟାୟ ଆଗାମୀ ଦିନରେ ବଲିଉଡ୍କୁ ବଦ୍ନାମ୍ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ଏବେଠୁ ଯଦି ଏ ଦିଗ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆନଯିବ ତେବେ ଆଗକୁ ତାହା ସାଂଘାତିକ ରୂପ ନେବା ନିଶ୍ଚିତ ।

Leave A Reply

Your email address will not be published.