ସାରର କଳାବଜାରୀ, ସାର ନ ପାଇ ନିରାଶରେ ଫେରିଲେ ଚାଷୀ

0 72

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକର ଚାଷୀମାନଙ୍କ ବାରମ୍ବାର ଦାବୀ ଓ ଆନ୍ଦୋଳନ ପରେ ସମବାୟ ସମିତିକୁ ସାର ଆସିଲା । ସାର ପାଇବା ପାଇଁ ଚାଷୀମାନେ ସମବାୟ ସମିତି ଆଗରେ ଦୀର୍ଘ ଘଣ୍ଟା ଧରି ଲମ୍ବା ଲାଇନ୍ରେ ଅପେକ୍ଷା କଲେ । ତେବେ ଆବଶ୍ୟକ ପରିମାଣର ସାର ଆସି ନଥିବାରୁ ମାତ୍ର କିଛି ଚାଷୀଙ୍କୁ ସାର ମିଳିଲା । ୮୦ଭାଗରୁ ଉର୍ଦ୍ଧ ଚାଷୀ ନିରାଶରେ ଫେରିଲେ । ତେବେ ଯେଉଁମାନେ ସାର ପାଇଛନ୍ତି ସେମାନେ ଅଭିଯୋଗ କରିଛନ୍ତି ଯେ ଧାର୍ଯ୍ୟ ଦର ଠାରୁ ଅଧିକ ଦର ଦେଲେ ସାର ମିଳୁଛି । ଗତ ଥର ଷ୍ଟକ ଆସିବା ବେଳେ ୟୁରିଆ ୪୫ କେଜି ବସ୍ତା ପିଛା ୨୮୦ଟଙ୍କାରେ ବିକ୍ରି ହୋଇଥିବା ବେଳେ ବର୍ତ୍ତମାନ ୩୦୦ଟଙ୍କାରେ ବିକ୍ରି କରାଯାଉଛି । ପୁଣି ଅଭିଯୋଗ ହୋଇଛି ଯେ ଭୋର ସକାଳୁ ଚାଷୀମାନେ ଲମ୍ବା ଧାଡିରେ ଅପେକ୍ଷା କରିଥିବା ବେଲେ କିଛି ସମୟ ପାଇଁ ସାର ବିକ୍ରୟ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ବେଳେ ଏହା ବନ୍ଦ କରି ଦିଆଯାଇଛି । ତଥାପି ଆଶା ନେଇ ଚାଷୀମାନେ ଧାଡିରେ ଅପେକ୍ଷା କରିଥିଲେ । ହେଲେ ଦୀର୍ଘ ସମୟ ଧରି ସାର ପାଇବା ଆଶାରେ ଚାଷୀମାନେ ସେପରି ଲମ୍ବା ଲାଇନ୍ରେ ଅପେକ୍ଷା କରିବା ପରେ ଷ୍ଟକ୍ ନଥିବା ଦର୍ଶଯାଇ ଚାଷୀମାନଙ୍କୁ ଫେରି ଯିବାକୁ କୁହାଯାଇଥିଲା । ଭୋର ସକାଳୁ ଦୀର୍ଘ ଘଣ୍ଟା ଧରି ଠିଆ ହୋଇ ସାର ନ ପାଇ ଚାଷୀମାନେ ନିରାଶ ହୋଇ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏ ନେଇ ଚାଷୀମାନେ କହିଛନ୍ତି, ସବୁବେଳେ ସମସ୍ୟା ଓ ସଙ୍କଟର ସମ୍ମୁଖୀନ ହେବାକୁ ପଡୁଛି । ଯଦି ଏଭଳି ଅବ୍ୟବସ୍ଥା ଲାଗି ରହେ ତେବେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଜୋର୍ଦାର କରାଯିବ । ରକମ ଲୋକନାଧମ୍ ନାମ ଜଣେ ଚାଷୀ କହିଛନ୍ତି ଯେ ସୋସାଇଟିକୁ ଯେଉଁ ଅଳ୍ପ ସାର ଷ୍ଟକ ଆସୁଛି ସେଥିରୁ କିଛି ଅଂଶ କଳାବଜାରରେ ବିକ୍ରି ହେଉଛି ଏବଂ ପ୍ରକୃତ ଚାଷୀ ସାର ପାଇବାରୁ ବଞ୍ôଚତ ହେଉଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ବିହିତ ପଦକ୍ଷେପ ଗ୍ରହଣ ପାଇଁ ଚାଷୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.