ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା

0 68

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା । ରବିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ସ୍ତରକୁ ଖସିଛି । ତେବେ ସୋମବାର ମଧ୍ୟରେ ହାୱାର ଦିଗ ପରିବର୍ତ୍ତନ ହେବାକୁ ଥିବାରୁ ପ୍ରଦୂଷଣ ମାତ୍ରା କମିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ଦିଲ୍ଲୀର ଜାହାଙ୍ଗିରପୁରା ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୫ ରହିଥିବା ବେଳେ ପାଟପରାଗଞ୍ଜରେ ୨୨୮ ରହିଛି । ସେହିପରି ଆର.କେ ପୁରମରେ ୨୩୫ ରହିଥିବା ବେଳେ ରୋହିଣୀ ଅଞ୍ଚଳରେ ବାୟୁର ମାନ ୨୪୬ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ଗତ ଜୁନ ୨୯ ତାରିଖରେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ୨୩୦କୁ ଛୁଇଁଥିଲା । ଶୀତ ଋତୁ ଆସିବା ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ତଳକୁ ଖସିବା ଚିନ୍ତାଜନକ ବୋଲି ପରିବେଶବିତ କହିଛନ୍ତି । ବାୟୁ ପ୍ରଦୂଷଣ ମାତ୍ରା ଖସିବା ଫଳରେ ଇଣ୍ଡିଆ ଗେଟ୍ ଓ ଦିଲ୍ଲୀ ରାଜପଥରେ ଘନ କୁହୁଡ଼ି ଦେଖାଦେଇଛି । ଅକ୍ଷରଧାମ୍ ମନ୍ଦିର ଅଞ୍ଚଳରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଅକ୍ଟୋବର ଓ ନଭେମ୍ବର ମାସ ଆସିବା ମାତ୍ରେ ଦିଲ୍ଲୀ ବାୟୁରେ ପରିବର୍ତ୍ତନ ଦେଖାଯାଇଥାଏ । ତେଣୁ ଏହାକୁ ରୋକିବାକୁ ଦିଲ୍ଲୀ ସରକାର ନୂଆ ଯୋଜନା ଆରମ୍ଭ କରିଦେଇଛନ୍ତି । କରୋନା ସମୟରେ ଏପ୍ରିଲ ମାସରେ ହୋଇଥିବା ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ହେଲେ ବଡ଼ ପ୍ରଦୂଷଣକାରୀ ଉତ୍ସଗୁଡ଼ିକୁ ବନ୍ଦ କରିବାକୁ ପଡ଼ିବ । ରାଜଧାନୀରେ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଯୁଗ୍ମ-ଅଯୁଗ୍ମ ବାହନ ଚଳାଚଳ ନିୟମ କରିଥିଲେ । ତେଣୁ ଏଥର ବି ପ୍ରଦୂଷଣକୁ ରୋକିବାକୁ ସରକାର କିଛି ନୂଆ ଯୋଜନା କରୁଥୁବା ଜଣାପଡ଼ିଛି ।

Leave A Reply

Your email address will not be published.