ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ରସୁଲଗଡ଼ ସ୍ଥିତ ଏକ ମଲ୍ ନିକଟରୁ ଜଣେ ଯୁବତୀଙ୍କ ଠାରୁ ହୋଇଛି ଛିନ୍ତାଇ। ବାଇକ୍ରେ ଆସି ପର୍ସ ଓ ମୋବାଇଲ୍ ଝାମ୍ପିନେଇ ଚମ୍ପଟ ମାରିଛନ୍ତି ୨ ଦୁର୍ବୃତ୍ତ। ଏନେଇ ଲୁଟର ଶିକାର ହୋଇଥିବା ଯୁବତୀ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଦୁଇ ଦୁର୍ବୃତ୍ତ ଚୋରି ପାଇଁ ବ୍ୟବହାର କରିଥିବା ଗାଡ଼ିରେ ନମ୍ବର ପ୍ଲେଟ ନଥିଲା। ସେମାନେ ଲୁଟ ପରେ ରଙ୍ଗ୍ ରୁଟରେ ପଳାଇଥିବା ଏତଲାରେ ଲୁଟର ଶିକାର ଯୁବତୀ ଦର୍ଶାଇଛନ୍ତି। ଆଜି ସଂଧ୍ୟାବେଳେ ମାର୍କେଟ ଆସୁଥିବା ବେଳେ ଯୁବତୀ ଜଣଙ୍କ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।
ସେହିପରି ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ATMରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ATM ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି।
କିଛି ଦିନ ଆଗରୁ ଦିନ ଦ୍ୱିପହରରେ ରସୁଲଗଡ଼ କେନାଲ ବନ୍ଧ ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କୁ ଆକ୍ରମଣ କରି ଫୋନ୍ ଛଡ଼ାଇ ନେଇଥିଲେ ଦୁର୍ବୃତ୍ତ। ପରେ ଯୁବତୀଙ୍କୁ ଜଣେ ସମାଜସେବୀ ଉଦ୍ଧାର କରି ପୋଲିସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।