ସୀମାରୁ ସେନା ଫେରାଇ ନେଉ ଚୀନ : ଭାରତ

0 59

ନୂଆଦିଲ୍ଲୀ, ଅକ୍ଟୋବର ୧୩ (ଖବର ଓଡ଼ିଶା): ଭାରତ ପୂର୍ବ ଲଦ୍ଦାଖରେ ଦେଖାଯାଇଥିବା ହିଂସା ନେଇ ସୋମବାର ଚୀନ ସହିତ ୭ମ ଥର ପାଇଁ କମାଣ୍ଡରସ୍ତରୀୟ ବାର୍ତ୍ତା କରିଛି । ବେଜିଂକୁ ଭାରତ କହିଛି, ଏପ୍ରିଲ ପୂର୍ବରୁ ଯେଭଳି ସ୍ଥିତି ଥିଲା, ସେମିତି ରହୁ । ସୀମାରୁ ସୈନ୍ୟକୁ ସଂପୂର୍ଣ୍ଣ ଭାବରେ ଫେରାଇ ନେବାକୁ କହିଛି । ଜାତୀୟ ଗଣମାଧ୍ୟମକୁ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲଦାଖରେ କମାଣ୍ଡରସ୍ତରୀୟ ଆଲୋଚନା ସୋମବାର ଅପରାହ୍ନ ପ୍ରାୟ ୧୨ଟାରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ଚୁଶୁଲ ଅଂଚଳରେ ହୋଇଥିଲା । ଏହି ବୈଠକ ପ୍ରାୟ ୮ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ସୀମା ବିବାଦ ୬ ମାସ ହୋଇଛି । ବିବାଦକୁ ଶୀଘ୍ର ସମାଧାନ କରିବା ଲାଗି ବହୁ ଉଦ୍ୟମ କରାଯାଉଛି । କାରଣ ଭାରତ ଓ ଚୀନ ସମୀରେ ଥିବା ହଜାର ହଜାର ଫୁଟ ଉଚ୍ଚରେ ପାଖାପାଖି ଏକ ଲକ୍ଷ ସୈନିକ ମୁତୟନ ଅଛନ୍ତି । ଭାରତ-ଚୀନ ମଧ୍ୟରେ ସୋମବାର ହୋଇଥିବା ଆଲୋଚନା ନେଇ ଯଦିଓ କୌଣସି ସରକାରୀ ଅଧିକାରୀ ବୟାନ ରଖି ନାହାନ୍ତି, ତଥାପି ସୂତ୍ର ଅନୁସାରେ ସୀମାରୁ ସୈନିକ ଫେରାଇ ନେବା ପାଇଁ ଆଲୋଚନା ହୋଇଛି । ଏହି ଆଲୋଚନାରେ ଭାରତ ପକ୍ଷରୁ ଲେହସ୍ଥିତ ୧୪ତମ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଓ ବିଦେଶ ମନ୍ତ୍ରାଳୟର ପୂର୍ବତନ ଏସିଆ ବ୍ୟାପାର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଅଂଶଗ୍ରହଣ କରିଥିଲେ । ସେହିପରି ଚୀନ ତରଫରୁ ମଧ୍ୟ ଜଣେ ବିଦେଶ ମନ୍ତ୍ରାଳୟର ଅଧିକାରୀ ଓ ଚୀନ ପ୍ରତିନିଧି ମଣ୍ଡଳ ଉପସ୍ଥିତ ଥିଲେ । ସୂତ୍ର ଅନୁସାରେ ଆଲୋଚନାରେ ଭାରତ କହିଛି, ଚୀନକୁ ବିବାଦର ସମସ୍ତ ବିନ୍ଦୁରୁ ନିଜର ସୈନିକ ଖୁବ ଶୀଘ୍ର ଫେରାଇ ନେବାର ଆବଶ୍ୟକତା ରହିଛି । ଲଦାଖରେ ଏପ୍ରିଲ ମାସର ପୂର୍ବ ସ୍ଥିତି ଅଣାଯିବା ଦରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜୀତ ଡୋଭାଲ, ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ଓ ସେନାର ୩ ଶାଖା ପ୍ରମୁଖଙ୍କ ସହିତ ଚୀନ ସିଏସଜି ସୈନ୍ୟ ବାର୍ତ୍ତା ଲାଗି ଶୁକ୍ରବାର ଭାରତର ରଣନୀତିକୁ ଅନ୍ତିମ ରୂପ ଦେଇଥିଲେ ।

Leave A Reply

Your email address will not be published.