ମନ୍ଦିର ଖୋଲିବାକୁ ନେଇ ରାଜନୈତିକ ଝଡ଼

0 67

ମୁମ୍ବାଇ, ୧୩ ।୧୦ : କରୋନା ଭାଇରସ୍ ସଂକଟ କାଳରେ ମହାରାଷ୍ଟ୍ରରେ ପୁଣିଥରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ମହରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଯେଉଁଥିରେ ଏ ପର୍ଯ୍ୟନ୍ତ ମନ୍ଦିର ଓ ଅନ୍ୟ ପୂଜାସ୍ଥଳ ନଖୋଲିବା ନେଇ ପ୍ରସଙ୍ଗ ସ୍ଥାନ ପାଇଛି । ଏହି ମାମଲାରେ ଏବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଚିଠିର ଆଦାନ ପ୍ରଦାନ ଜାରି ରହିଛି । ରାଜ୍ୟପାଳଙ୍କ ଚିଠିକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍ରେ ଚିଠି ଲେଖିଛନ୍ତି । ସେଥିରେ ସେ ଲେଖିଛନ୍ତି କି ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବା ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବା ସହ କରୋନାର ଯେପରି ବୃଦ୍ଧି ନହୁଏ ସେଥିପ୍ରତି ଧ୍ୟାନ ରଖିବା ଉଚିତ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି କି ମୋତେ ହିନ୍ଦୁତ୍ୱର ପ୍ରମାଣ ଦେବା ପାଇଁ କୌଣସି ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ । ଯେଉଁ ଲୋକମାନେ ଆମ ରାଜ୍ୟର ତୁଳନା ପିଓକେ ସହ କରୁଛନ୍ତି ସେମାନଙ୍କୁ ସ୍ୱାଗତ କରିବା ମୋର ହିନ୍ଦୁତ୍ୱକୁ ଶୋଭା ଦେବନାହିଁ । କେବଳ ମନ୍ଦିର ଖୋଲିଦେଲେ କ’ଣ ହିନ୍ଦୁତ୍ୱର ପ୍ରମାଣ ମିଳିଯିବ ବୋଲି ସେ ଆହୁରି ପ୍ରଶ୍ନ ଉଠାଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ ତାଙ୍କ ଚିଠିରେ ଲେଖିଛନ୍ତି ଆପଣ ଜୁନ୍ ୧ ତାରିଖରେ ‘ମିଶନ ବିଗେନ୍ ଏଗେନ୍’ ଆରମ୍ଭ କରିଥିଲେ । କିନ୍ତୁ ଏବେ ଏହାକୁ ୪ ମାସ ବିତିଯାଇଛି ଓ ଏ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ଖୋଲାଯାଇନାହିଁ । ଦେଶର ରାଜଧାନୀ ଦିଲ୍ଲୀକୁ ଯଦି ଦେଖାଯାଏ ତ ସେଠାରେ କରୋନା ମାମଲା ବୃଦ୍ଧି ପାଉଥିଲେ ହେଁ ବ ଧାର୍ମିକ ସ୍ଥଳ ଖୋଲାଯିବାକୁ ଅନୁମତି ଦିଆଯାଇଛି । ରାଜ୍ୟପାଳ ଆହୁରି କହିଛନ୍ତି କି ଏହା ବିଡ଼ମ୍ବନା ଯେ ଗୋଟିଏପଟେ ଆପର ବାର୍ ଓ ରେଷ୍ଟୁରାଣ୍ଟ ଖୋଲିଛନ୍ତି, କିନ୍ତୁ ଅନ୍ୟପଟେ ଦେବୀ ଓ ଦେବତାଙ୍କ ସ୍ଥଳ ଖୋଲୁନାହାନ୍ତି । ଆପଣ ଜଣେ ହିନ୍ଦୁତ୍ୱବାଦୀ ଚିନ୍ତାଧାରାର ବ୍ୟକ୍ତି ମଧ୍ୟରୁ ଅନ୍ୟତମ । ଆପଣ ଭଗବାନ ରାମଙ୍କ ପାଇଁ ସାର୍ବଜନୀକ ରୂପେ ଆପଣ ନିଜର ଭକ୍ତିଭାବ ପ୍ରଦର୍ଶନ କରିଛନ୍ତି । ରାଜ୍ୟପାଳ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି କି ଗତ କିଛିଦିନ ହେବ ବହୁ ପ୍ରତିନିଧିମଣ୍ଡଳ ଆସି ମୋ ସହ ଏହା ଉପରେ ଚର୍ଚ୍ଚା କରିସାରିଲେଣି । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ମୁମ୍ବାଇରେ ବିରୋଧ ପ୍ରଦର୍ଶନ କରିଥିବା ପରିଲକ୍ଷିତ ହୋଇଛି । ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ବାହାରେ ବିଜେପି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିବା ଦୃଷ୍ଟିକୁ ଆସିଛି । ବିଜେପି କାର୍ଯ୍ୟକର୍ତ୍ତାମାନେ ମୁମ୍ବାଇରେ ପୂଜାସ୍ଥଳୀଗୁଡ଼ିକ ଖୋଲିବା ଦାବି କରିଥିବାବେଳେ କିଛି କାର୍ଯ୍ୟକର୍ତ୍ତା ଜୋର୍ ଜବରଦସ୍ତ ମନ୍ଦିର ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲେ । ପୋଲିସ କିଛି କାର୍ଯ୍ୟକର୍ତ୍ତାଙ୍କୁ ଗାଡ଼ିରେ ବସାଇ ନେଇଯାଇଛି । ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଆଳତୀ ଥାଳି ଆଣି ସଡ଼କରେ ପୂଜା କରୁଥିବା ଦେଖାଯାଇଥିଲା । କେବଳ ମୁମ୍ବାଇ ନୁହେଁ ଶିରିଡିରେ ବି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।

Leave A Reply

Your email address will not be published.