ଏବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ସମୟ ଆସିଯାଇଛି : ଶାହା

0 56

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଇନ୍ ବ୍ୟବସ୍ଥାକୁ ନେଇ ଦେଶର ଗୃହ ମନ୍ତ୍ରୀ ଅମିତ୍ ଶାହ ପୁଣିଥରେ ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହ କହିଛନ୍ତି, ବେଙ୍ଗଲରେ ଆଇନ୍ ବ୍ୟବସ୍ଥା ଚରମସୀମାରେ ପହଞ୍ଚିଛି ଏବଂ ସରକାର ଏହାପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ସେଠାରେ ବିରୋଧୀ ନେତାଙ୍କୁ ଆକ୍ରମଣ କରାଯାଉଛି ଏବଂ ଲୋକତନ୍ତ୍ରର ହତ୍ୟା କରାଯାଇଛି । ଏପରି ସ୍ଥିତି ବିଜେପି ନେତାମାନେ ରାଷ୍ଟ୍ରପତି ଶାସନ ପାଇଁ ଯେଉଁ ଦାବି କରୁଛନ୍ତି, ତାହା ଆଦୌ ଭୁଲ୍ ନୁହେଁ ବୋଲି ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏମିତି ଅମିତ୍ ଶାହ କହିଛନ୍ତି । ବେଙ୍ଗଲରେ ବିଜେପି ନେତାଙ୍କ ଉପରେ ଆକ୍ରମଣ ଏବଂ ରାଜ୍ୟରେ ଯେଉଁ ହିଂସାର ପରିସ୍ଥିତି ଉପୁଜିଛି, ତାକୁ ଆଖି ଆଗରେ ରଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ବିଜେପି ଦାବି କରିଆସୁଛି । ଏହାକୁ ନେଇ ଅମିତ୍ ଶାହ କହିଛନ୍ତି, ସେଠାକାର ସ୍ଥିତିକୁ ଦେଖି ଯେଉଁ ରାଜନୀତିକ ପାର୍ଟିର ନେତାମାନେ ଏହି ଦାବି କରିଛନ୍ତି, ତାହା ଯୁକ୍ତିଯୁକ୍ତ । ବର୍ତ୍ତମାନ ସେଠାକାର ସ୍ଥିତି ଯାହା ରହିଛି, ସେଥିପାଇଁ ରାଷ୍ଟ୍ରପତି ଶାସନ ନିହାତି ଦରକାର । ଅମିତ୍ ଶାହ ଆହୁରି କହିଛନ୍ତି, ବେଙ୍ଗଲରେ ଆଇନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ସବୁ ଜିଲ୍ଲାରେ ବୋମା କାରଖାନା ରହିଛି । ତେବେ ସେଠାରେ ଲୋକତନ୍ତ୍ର ସବୁଠାରୁ ବଡ଼ ଚିନ୍ତାର ବିଷୟ ଯେ ବିରୋଧୀ ନେତାଙ୍କୁ ହତ୍ୟା କରାଯାଉଛି । ଭାରତର ଅନ୍ୟ କୌଣସି ରାଜ୍ୟରେ ଏଭଳି ହେଉନାହିଁ । ଆଗରୁ କେରଳରେ ଏଭଳି ଘଟଣା ସାମ୍ନାକୁ ଆସୁଥିଲା, କିନ୍ତୁ ଏବେ ସେଠାରେ ଆଉ ସେମିତି କିଛି ଘଟୁନାହିଁ । ଆଗାମୀ ଦିନରେ ବେଙ୍ଗଲରେ ନିଶ୍ଚୟ ପରିବର୍ତ୍ତନ ହେବ ଏବଂ ବିଜେପି ସରକାର ଗଢ଼ିବ । ଅମିତ୍ ଶାହ କହିଛନ୍ତି, ଗତବର୍ଷ ପଶ୍ଚିମ ବଙ୍ଗରେ ଅମ୍ଫାନ୍ ବାତ୍ୟା ଆସିଥିଲା, କିନ୍ତୁ ରାଜ୍ୟରେ ଏଥିପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ବାତ୍ୟା ପାଇଁ ଯେଉଁ ବଜେଟ୍ ରାଜ୍ୟକୁ ଦିଆଯାଇଥିଲା, ସେଥିରେ ଖୁବ୍ ଦୁର୍ନୀତି ହେଲା । କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ ଖାଦ୍ୟଶସ୍ୟ ଦିଆଗଲା, ସେଥିରେ ବି ଘୋଟାଲା ହେଲା । ତା’ଛଡ଼ା କରୋନା ପାଇଁ ଯେଉଁଭଳି ପ୍ରସ୍ତୁତି ଦରକାର ଥିଲା, ତାହା ମଧ୍ୟ ହେଲା ନାହିଁ । ତେଣୁ ମୋଟାମୋଟି କହିବାକୁ ଗଲେ, ଏବେ ବେଙ୍ଗଲରେ ପରିବର୍ତ୍ତନ ଆବଶ୍ୟକ ହେଉଛି ।

Leave A Reply

Your email address will not be published.