ଫାରୁକ୍ ଅବଦୁଲ୍ଲାଙ୍କୁ ଇଡିର ଜେରା

0 72

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଜେରା କରିଛି । ସେ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିବା ବେଳେ ୪୩.୬୯ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ଏବେ ଇଡି ଏହି ଘଟଣାରେ ଫାରୁକ ଅବଦୁଲ୍ଲାଙ୍କୁ ଜେରା କରିଛି । ଇଡି ପକ୍ଷରୁ କୁହାଯାଇଛି ଯେ ଏହି ଘଟଣାରେ ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକଙ୍କ ବୟାନ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ରେକର୍ଡ କରାଯାଇଛି । ତେବେ ହଠାତ୍ ଇଡି କ୍ରିକେଟ ଆସୋସିଏସନ ସ୍କାମରେ ଫାରୁକଙ୍କୁ ସମନ କରି ଜେରା କରିବା ଯୋଗୁ ବିବାଦ ସୃଷ୍ଟି ହୋଇଛି । ତାଙ୍କ ପୁଅ ଓମାର ଅବଦୁଲ୍ଲା କହିଛନ୍ତି, ଏହା ରାଜନୀତିକ ଆକ୍ରୋଶ ଛଡ଼ା ଆଉ କିଛି ନୁହେଁ । ଗୁପକାର ଡିକ୍ଲାରେସନ ଅନୁଯାୟୀ ପିପୁଲ୍ସ ଆଲିଆନ୍ସ ଗଠନ କରାଯିବା ପରେ ଏଭଳି ଘଟଣା ଘଟିଛି । ଇଡି ଘଟଣାର ତଦନ୍ତ କରି କହିଛି ଯେ ୨୦୦୨ରୁ ୨୦୧୧ ମଧ୍ୟରେ ବିସିସିଆଇ ପକ୍ଷରୁ ୩ଟି ଭିନ୍ନଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନ ପାଇଁ ୧୧୩ କୋଟି ଟଙ୍କା ଦିଆଯାଇଥିଲା । ତେବେ ଏହି ଟଙ୍କା ମଧ୍ୟରୁ ପ୍ରାୟ ୪୩.୬୯ କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.