ବୈପାରିଗୁଡା : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭୦ ହଜାର ଟଙ୍କାର ସଂପତ୍ତି ଜଳିପଡି ପାଉଁଶ ହୋଇଯାଇଛି। ଘଟଣା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ କୋଲାର ପଞ୍ଚାୟତର ମୁଦୁଲିଗୁଡା ଗ୍ରାମରେ ବାସ କରୁଥିବା ଦେବ ଖରାଙ୍କ ଘରେ ରାତି ଦଶଟାରେ ନିଆଁ ଲାଗିଯାଇଥିଲା। ରୋଷେଇ ପରେ ଚୁଲି ଉପରେ ଜାଳେଣି କାଠ ରଖି ପରିବାରର ଲୋକେ ଶୋଇପଡିଥିଲେ। ରାତି ଦଶଟା ବେଳକୁ ଜାଳେଣି କାଠରେ ନିଆଁ ଲାଗି ଚାଳକୁ ବ୍ୟାପିଥିଲା। ନିଆଁ ଲାଗିବା ଦେଖି ବୈପାରିଗୁଡା ଦମକଳ କେନ୍ଦ୍ର କୁ ଖବର ଦିଆଯାଇଥିଲା।ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ଦେବ ଖରାଙ୍କ ଘରର ପ୍ରାୟ ୭୦ ହଜାର ଟଙ୍କାର ସଂପତ୍ତି ଧ୍ଵଂସ ହୋଇଥିବା ପ୍ରକାଶ। ବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ନିମନ୍ତେ ଦାବୀ କରାଯାଇଛି।