ଗାୟତ୍ରୀ ବେଶରେ ଦର୍ଶନ ଦେଲେ ମା କନକ ଦୁର୍ଗା

0 72

ପିପିଲି : ନବଦିନାତ୍ମକ ପୂଜାରେ ପିପିଲିର ମା କନକଦୁର୍ଗାଙ୍କ ଗାୟତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଆଜି ଭୋରରୁ ମନ୍ଦିର ଫିଟା ଯିବା ପରେ ବିଧି ଅନୁସାରେ ଦେବୀଙ୍କୁ ଗାୟତ୍ରୀ ବେଶରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକମାନେ କୋଭିଡ କଟକଣା ଅନୁଯାୟୀ ସାମାଜିକ ଦୂରତା ରକ୍ଷାକରି ମା ଙ୍କର ବେଶ କରିଥିଲେ । ପିପିଲିର ଶକ୍ତିପୀଠ ମା କନକ ଦୁର୍ଗା ପୀଠରେ ଷୋଡଶ ଉପଚାର ସ୍ୱତନ୍ତ୍ର ପୂଜାର ଚତୁର୍ଦ୍ଦଶ ଦିବସରେ ମାଙ୍କର ଏହି ବେଶ ଅନୁଷ୍ଠିତ ହୋଇଛି । ଆଶ୍ୱିନ ମାସର ମୂଳାଷ୍ଟମୀ ଦ୍ୱିତୀୟା ଓଷା ଠାରୁ ଷୋଡଶ ପୂଜା ଆରମ୍ଭ ହୋଇଛି । ଚଳିତ ବର୍ଷ ମଳମାସ ପଡିଥିବାରୁ ଏହା ୪୫ଦିନ ଧରି ଚାଲୁଛି । ଏହି ପୂଜା ସମୟରେ ମାଙ୍କ ନିକଟରେ ପ୍ରତ୍ୟହ ଚଣ୍ଡି ପାଠ କରାଯାଉଛି । ପ୍ରତ୍ୟେକ ଦିନ ଭୋରରୁ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଅବକାଶ, ମାଜଣା, ମଇଲମ, ବଲ୍ଲଭ ବାଳ ଭୋଗ ଓ ଦ୍ୱିପ୍ରହର ଧୂପ ଆଦି କରାଯାଉଛି । କରୋନା କଟକଣା ଯୋଗୁଁ ଦର୍ଶନାର୍ଥୀ ମା ଙ୍କର ବେଶ ଦର୍ଶନ କରି ପାରି ନାହାନ୍ତି । କେବଳ ପୂଜକ ଓ ସେବାୟତମାନେ ମାଙ୍କର ନୀତିକାନ୍ତି ସଂପାଦନ କରୁଛନ୍ତି । ଆସନ୍ତା ଶନିବାର ମାଙ୍କର ଷୋଡଶପୂଜାର ଶେଷ ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିରର ମୁଖ୍ୟ ପୂଜକ ରବିନ୍ଦ୍ର ନାଥ ଦାଶ କହିଛନ୍ତି । ମନ୍ଦିରର ସହକାରୀ ପୂଜକ ନଗେନ୍ଦ୍ର ଦିକ୍ଷୀତଙ୍କ ସହ ପ୍ରକାଶଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ମିଶ୍ର, ସତ୍ୟଜିତ ମିଶ୍ର ପ୍ରମୁଖ ମାଙ୍କ ସମୁଦାୟ ଷୋଡଶ ଉପଚାର ପୂଜାର ପୂଜାର୍ଚ୍ଚନା, ନୀତିକାନ୍ତି ସଂପନ୍ନ କରୁଛନ୍ତି । ନାରାୟଣ ଦାସ, ରବିନ୍ଦ୍ର ସିଂ ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.