ନୀତୀଶ କୁମାରଙ୍କୁ ପଥର ମାଡ଼

0 65

ମଧୁବନୀ: ବିହାର ନିର୍ବାଚନୀ ସଭାରେ ହିଂସାତ୍ମକ ଆଚରଣ କ୍ରମଶଃ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ମଙ୍ଗଳବାର ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର କରିବା ସମୟରେ ଏହି ହିଂସାର ଶିକାର ହୋଇଛନ୍ତି । ସେ ଶୋଭାଯାତ୍ରାରେ ସମ୍ବୋଧନ କରୁଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପଥରମାଡ଼ କରିଛନ୍ତି । ଆଜି ନୀତୀଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ । ଏଠାରେ ନୀତୀଶ କୁମାର ଯେତେବେଳେ ନିଯୁକ୍ତି ପ୍ରସଙ୍ଗରେ ଭାଷଣ ଦେଇଥିଲେ ସେତେବେଳେ ତାଙ୍କ ବିରୋଧରେ ଲୋକମାନେ ନାରାବାଜୀ କରିଥିଲେ । ଏହାପରେ ଭିଡ଼ ମଧ୍ୟରୁ କିଛି ଲୋକ ତାଙ୍କୁ ପଥର ମଧ୍ୟ ମାଡ଼ କରିଥିଲେ । ଏହା ଦେଖି ମଞ୍ଚ ଉପରୁ ହିଁ ନୀତୀଶ କୁମାର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଲୋକମାନେ ଘେରା ବନ୍ଦୀ କରି ଲୋକଙ୍କୁ ଶାନ୍ତ ରହିବାକୁ ବୁଝାଇଥିଲେ । ନୀତୀଶ କୁମାରଙ୍କ ଉପରକୁ ପଥର ମାଡ଼ ଘଟଣାରେ ମନ୍ତ୍ରୀ ରଞ୍ଜନ କୁମାର ଝା କହିଛନ୍ତି, ବିରୋଧୀ ଦଳ ଭଲ ଭାବେ ଜାଣି ସାରିଲେଣି ଯେ ସେମାନେ ଭୋଟିଂରେ ଆମକୁ ହରାଇ ପାରିବେ ନାହିଁ । ତେଣୁ ସେମାନେ ଏଭଳି ଘଟଣା ଘଟାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବିରୋଧୀ ଦଳ ଗୁଡ଼ିକ ଆକ୍ରମଣ କରିଛନ୍ତି । ଆପଣମାନେ ନୀତୀଶ କୁମାରଙ୍କୁ ପସନ୍ଦ କରନ୍ତୁ କି ନ କରନ୍ତୁ, ଲୋକମାନେ ତାଙ୍କୁ ଭୋଟ ଦେଇ ଜିତାଇବେ । ପୂର୍ବରୁ ମୁଜାଫରପୁର ଠାରେ ଆୟୋଜିତ ଏକ ରାଲିରେ ନୀତୀଶ କୁମାରଙ୍କୁ ଜଣେ ଯୁବକ ଚପଲ ମାଡ଼ କରିଥିବା ଦେଖାଯାଇଥିଲା ।

Leave A Reply

Your email address will not be published.