ସରିଲା ମତଦାନ: ଇଭିଏମ୍ରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

0 44

ବାଲେଶ୍ୱର/ଜଗତସିଂହପୁର, ୩ା୧୧ (ଡିକେ ନ୍ୟୁଜ): ଶାନ୍ତି ଶୃଙ୍ଖଳାର ସହ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସରିଲା ମତଦାନ । ଇଭିଏମ୍ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଅପରାହ୍ଣ ୩ଟା ସୁଦ୍ଧା ବାଲେଶ୍ୱରରେ ୭୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୯୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଶାନ୍ତିଶୃଙ୍ଖଳାରେ ସରିଲା ଭୋଟ୍ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ ପ୍ରକ୍ରିୟା । କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁଁ ଭୋଟଦାନ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇଥିଲା । ସେହିଭଳି ବାଲେଶ୍ୱରରେ ଗୋଟିଏ ବୁଥ୍ରେ ପୋଲିସ କର୍ମ·ରୀ ଚିରିକୁଟି ବାଣ୍ଟୁଥିବା ଅଭିଯୋଗ ପରେ ସଂପୃକ୍ତ ବୁଥ୍ରୁ ୨ କର୍ମ·ରୀଙ୍କୁ ହଟାଇ ଦିଆଯାଇଥିଲା । ତଦନ୍ତରେ ପ୍ରମାଣ ମିଳିନଥିଲେ ମଧ୍ୟ ଜଣେ ବିଏଲ୍ଓ ଓ ଜଣେ ପୋଲିସ କର୍ମ·ରୀଙ୍କୁ ହଟାଇଦିଆଯାଇଥିବା କହିଥିଲେ ରାଜ୍ୟ ନିର୍ବାଚନ ଅଧିକାରୀ । ଇଭିଏମ୍ରେ ସିଲ୍ ହୋଇଯାଇଛି ବାଲେଶ୍ୱରରେ ୬ ଆଉ ତିର୍ତ୍ତୋଲରେ ୯ ପ୍ରାର୍ଥୀଙ୍କ ଭାଗ୍ୟ । ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଜନତା ଜନାର୍ଦ୍ଦନ ତାଙ୍କର ବିଧାୟକ ବାଛି ସାରିଛନ୍ତି । ମାତ୍ର ବର୍ଷକ ଭିତରେ ଦ୍ୱିତୀୟଥର ପାଇଁ ନିଜ ପ୍ରତିନିଧି ବାଛିବାକୁ ବାଧ୍ୟ ହୋଇଥିଲେ ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଥିଲା ମତଦାନ ପ୍ରକ୍ରିୟା । ହେଲେ ସବୁଥର ଅପେକ୍ଷା ଏଥର ନିର୍ବାଚନରେ ଭୋଟଗ୍ରହଣ ବ୍ୟବସ୍ଥା ଥିଲା ଟିକେ ଅଲଗା । କରୋନା ମହାମାରୀ ସଂକ୍ରମଣ ସମୟରେ ଭୋଟିଂ ବ୍ୟବସ୍ଥା ନିର୍ବାଚନ କମିଶନଙ୍କ ପାଇଁ ଥିଲା ବଡ଼ ଆହ୍ୱାନ । ଖାସ୍ ସେଇଥିପାଇଁ ଗୋଟିଏ ଗୋଟିଏ ବୁଥ୍ ପାଇଁ ମାତ୍ର ୧ ହଜାର ଭୋଟରଙ୍କ ମତ ସଂଗ୍ରହ ବ୍ୟବସ୍ଥା କରାଯାଇଥିଲା । ଯେଉଁଥିପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ବଢ଼ିଥିଲା ବୁଥ୍ ସଂଖ୍ୟା । ବାଲେଶ୍ୱରରେ ୧୯୮ବୁଥ୍ ବଦଳରେ ୩୪୬ବୁଥ୍ ଏବଂ ତିର୍ତ୍ତୋଲରେ ୨୬୫ବୁଥ ବଦଳରେ ୩୭୩ବୁଥ୍ କରାଯାଇଥିଲା । ସମସ୍ତ ବୁଥ୍କୁ ସାନିଟାଇଜ୍ କରିବା ସହ ନିର୍ବାଚନ ଅଧିକାରୀଙ୍କୁ ପିପିଇ କିଟ୍ ଦିଆଯାଇଥିଲା । ସେହିଭଳି ବୁଥ୍କୁ ଆସୁଥିବା ଭୋଟରଙ୍କ ଟେମ୍ପରେଚର ମପାଯିବା ସହ ସେମାନଙ୍କୁ ଗୋଟିଏ ଗୋଟିଏ ଗ୍ଲୋବ୍ସ୍ ଯୋଗାଇ ଦିଆଯାଇଥିଲା । ମାସ୍କ ବାଧ୍ୟତାମୂଳକ କରାଯାଇଥିଲା । ଗ୍ଲୋବସ୍ ପିନ୍ଧି ସେମାନେ ଇଭିଏମ୍ ବଟନ୍ ଚିପିବା ପରେ ସେଇ ଗ୍ଲୋବ୍ସକୁ ପାଖରେ ଥିବା ଡଷ୍ଟବିନ୍ରେ ପକାଇବାର ବ୍ୟବସ୍ଥା କରାଯାଇଥିଲା । ସୋସିଆଲ୍ ଡିଷ୍ଟାନ୍ସ ମେଣ୍ଟେନ୍ କରିବା ସହ ଜଣ ଜଣ କରି ଭୋଟ୍ ଦେବାକୁ ଅନୁମତି ଦିଆଯାଉଥିଲା । ଅନେକ ବୃଦ୍ଧ, ବୃଦ୍ଧା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା କରାଯାଇଥିଲା । ଏସବୁ ଭିତରେ ମତଦାନ କରିବାକୁ ଆସିଥିବା ଯେଉଁ ଭୋଟରଙ୍କ ଶରୀରର ତାପମାତ୍ରା ଅଧିକ ରହୁଥିଲା ସେମାନଙ୍କୁ ଟୋକନ୍ ଦିଆଯାଇ ଅପେକ୍ଷା କରିବାକୁ କୁହାଯାଇଥିଲା । କୋଭିଡ୍ ଲକ୍ଷଣ ଥିବା କିମ୍ବା ଅଧିକ ଟେମ୍ପରେଚର ଥିବା ଭୋଟରଙ୍କ ପାଇଁ ସଂଧ୍ୟା ୫ଟାରୁ ୬ଟା ୧ଘଣ୍ଟା ପାଇଁ ଭୋଟ ଦେବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ଭୋଟରମାନେ ଭୋଟ୍ ଦେବା ପରେ ବୁଥ୍ଗୁଡ଼ିକରେ ନିର୍ବାଚନ ପରି·ଳନା କରୁଥିବା ଅଧିକାରୀମାନେ ପିପିଇ କିଟ୍ ପିନ୍ଧି ବସିଥିବା ଦେଖିବାକୁ ମିଳିଥିଲା । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ପରଖି ପଞ୍ଚାୟତ ନନ୍ଦଚକର ଜଙ୍ଗଲ ଘେରି ଗାଁର ଲୋକେ ଭୋଟ୍ ବର୍ଜନ କରିଥିଲେ । ସେମାନଙ୍କ ରାସ୍ତା ସମସ୍ୟା ସମାଧାନ ହୋଇନଥିବାରୁ ଗାଁର ୧୨୬ଜଣ ଭୋଟର ମତଦାନ କରିନଥିଲେ । କୋଭିଡ୍ କଟକଣା ଭିତରେ ଭୋଟ୍ ହେଉଥିବାରୁ ଭୋଟରଙ୍କ ପାଇଁ ଏହା ଏକ ଭିନ୍ନ ଅନୁଭବ ସୃଷ୍ଟି କରିଥିଲା । ବାଲେଶ୍ୱର ଓ ତିର୍ତ୍ତୋଲ ଉଭୟ ନିର୍ବାଚନ ମଣ୍ଡଳୀର କିଛି ସ୍ଥାନରେ ଆଦର୍ଶ ବୁଥ୍ କରାଯାଇଥିବା ବେଳେ ଅନ୍ୟ ବୁଥ୍ଗୁଡ଼ିକରେ ପିଇବା ପାଣି ବ୍ୟବସ୍ଥା କିମ୍ବା ଭୋଟରଙ୍କ ପାଇଁ ଟେଣ୍ଟ୍ ବ୍ୟବସ୍ଥା କରାଯାଇ ନଥିବାରୁ କିଛି ଜାଗାରେ ନିଜର ଅସନ୍ତୋଷବ୍ୟକ୍ତ କରିଥିଲେ ଭୋଟର । ତେବେ କାଁ ଭାଁ ଗଣ୍ଡଗୋଳକୁ ବାଦ୍ ଦେଲେ ଉଭୟ ନିର୍ବାଚନମଣ୍ଡଳୀର ପ୍ରାୟ ସବୁ ଜାଗାରେ ଶାନ୍ତିଶୃଙ୍ଖଳାରେ ସରିଛି ଉପନିର୍ବାଚନ ମତଦାନ ପ୍ରକ୍ରିୟା ।

Leave A Reply

Your email address will not be published.