ଏନ୍ଡିଡିବି ଅଧ୍ୟକ୍ଷ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡକୁ ମନୋନୀତ ହେଲେ

0 62

ଭୁବନେଶ୍ୱର : ଜାତୀୟ ଦୁଗ୍ଧ ବିକାଶ ବୋର୍ଡ(ଏନ୍ଡିଡିବି)ର ଅଧ୍ୟକ୍ଷ ଦିଲ୍ଲୀପ ରଥଙ୍କୁ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡକୁ ୨୦୨୦ ନଭେମ୍ବର ୨ରେ ମନୋନୀତ କରାଯାଇଛି । ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡର ସାଧାରଣ ବୈଠକରେ ଏହା ସମ୍ପନ୍ନ ହୋଇଛି । ଏହି ଅବସରରେ ଶ୍ରୀ ରଥ କହିଛନ୍ତି ଯେ, ଭାରତୀୟ ଦୁଗ୍ଧ ଅଭିଜ୍ଞତାକୁ ମୁଁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହିତ ଭାବର ଆଦାନପ୍ରଦାନ ଦ୍ୱାରା ଜଣାଇପାରିବ । ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ସ୍ଥାୟୀ ଲକ୍ଷ୍ୟ ପୂରଣ କ୍ଷେତ୍ରରେ କାର୍ଯ୍ୟ କରିବାର ଅବସର ମିଳିବ ବୋଲି ସେ କହିଛନ୍ତି ।
ସେ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡ ସହିତ ଗତ ୧୦ ବର୍ଷ ଧରି ଭାରତୀୟ ଜାତୀୟ କମିଟି ସଦସ୍ୟ ସଚିବ ଭାବେ ଜଡ଼ିତ ରହିଛନ୍ତି । ୨୦୧୬ରେ ରୋଟେରଡାମ୍ଠାରେ ହୋଇଥିବା ସମ୍ମିଳନୀରେ ସେ ଲିଡର ଫୋରମ୍ ପ୍ୟାନେଲରେ ଜଣେ ବକ୍ତା ଭାବେ ଯୋଗଦେଇଥିଲେ । ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡ ଏବଂ ଏଫ୍ଏଓ ମଧ୍ୟରେ ରୋଟେରଡାମ୍ ଠାରେ ହୋଇଥିବା ଡାଏରୀ ଡିକ୍ଲାରେଶନ୍ରେ ସେ ୨୦୧୬ ଅକ୍ଟୋବରରେ ସ୍ୱାକ୍ଷର କରିଥିଲେ । କ୍ଷୁଧା ଓ ଦାରିଦ୍ର୍ୟ ହଟାଇବା ଏବଂ ପରିବେଶ ସୁରକ୍ଷାକୁ ଏହି ଡିକ୍ଲାରେଶନ୍ ଗୁରୁତ୍ୱ ଦେଇଥାଏ । ସେ ୨୦୧୯ରେ ଇସ୍ତାନବୁଲ୍ରେ ହୋଇଥିବା ୱାର୍ଲ୍ଡ ଡାଏରୀ ସମ୍ମିଳନୀରେ ଯୋଗଦେଇଥିଲେ । ୨୦୨୨ରେ ଭାରତରେ ୱାର୍ଲ୍ଡ ଡାଏରୀ ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜନ କରାଯିବ । ଏଥିରେ ୫୫ଟି ଦେଶର ୧୦୦୦ରୁ ଅଧିକ ବିଶେଷଜ୍ଞ, ଏକାଡେମିସିଆନ୍, ଡାଏରୀ ପେଶାଦାର ଯୋଗଦେବାର ଆଶା ରହିଛି । ଶ୍ରୀ ରଥ ଭାରତୀୟ ଜାତୀୟ କମିଟିର ସଚିବ ଭାବେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଭାରତରେ ସମବାୟ ସମିତି ଗଠନ ହେବା ଦ୍ୱାରା ଅସଂଖ୍ୟ କ୍ଷୁଦ୍ର ଦୁଗ୍ଧ ଚାଷୀ ଉପକୃତ ହୋଇପାରିଛନ୍ତି । ଏହା ସହିତ ବହୁ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ ହୋଇପାରିଛି । ଗତ ୫ ବର୍ଷରେ ବିଶ୍ୱର ଦୁଗ୍ଧ ଉତ୍ପାଦନ ହାର ୧.୫୩ ପ୍ରତିଶତ ଥିବାବେଳେ ଭାରତର ଅଭିବୃଦ୍ଧି ହାର ୬.୪୩ ପ୍ରତିଶତ ରହିଛି । ବିଶ୍ୱ ଦୁଗ୍ଧ ସେକ୍ଟର ୨୦୩୦ ସୁଦ୍ଧା ଜାତିସଂଘ ପକ୍ଷରୁ ଧାର୍ଯ୍ୟ ହୋଇଥିବା କ୍ଷୁଧା ଦୂରୀକରଣ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ ଜାରି ରଖିଛି । କ୍ଷୁଦ୍ର ଏବଂ ନାମମାତ୍ର ଦୁଗ୍ଧ ଚାଷୀଙ୍କ ବିକାଶକୁ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଉଛି । ଜାତୀୟ କମିଟି, ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ଏବଂ ଏନ୍ଡିଡିବି ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.