‘ସୀମା ବିବାଦ ବୃହତ୍ତର ରୂପ ନେଇପାରେ’

0 67

ନୂଆଦିଲ୍ଲୀ, ୬ ।୧୧: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦର ସମାଧାନ ଏଯାଏଁ ହୋଇନାହିଁ । ବିବାଦର ସମାଧାନ ପାଇଁ ଆଜି ଦୁଇ ଦେଶ ମଧ୍ୟରେ ୮ମ ଥର ପାଇଁ ଟପ୍ ମିଲିଟାରୀ କମାଣ୍ଡରସ୍ତରୀୟ ଆଲୋଚନା ହେଉଛି । ଏସବୁ ଭିତରେ ଭାରତର ଚିଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ କେବେ ହେଲେ ଏଲଏସିରୁ ପଛକୁ ଘୁଞ୍ଚିବ ନାହିଁ । ସେହିପରି ଏଲଏସିରେ କୌଣସି ପରିବର୍ତ୍ତନକୁ ଗ୍ରହଣ କରିବ ନାହିଁ । ଏବେ ସୃଷ୍ଟି ହୋଇଥିବା ସୀମା ବିବାଦ ଆଗକୁ ବୃହତ୍ତର ରୂପ ଧାରଣ କରିବାର ଆଶଙ୍କା ରହିଛି ବୋଲି ସେ ମତ ଦେଇଛନ୍ତି । ଆମେ ଯଦି ପୂରା ସୁରକ୍ଷା ବ୍ୟବସ୍ଥା ଓ ସ୍ଥିତିକୁ ହିସାବକୁ ନେବା, ତା’ହେଲେ ଚାଇନା ସହ ସିଧାସଳଖ ବିବାଦ ବଢ଼ିବାର ସମ୍ଭାବନା ବହୁତ କମ । କିନ୍ତୁ ମୁହାଁମୁହିଁ ସ୍ଥିତି, ଟ୍ରାନ୍ସଗ୍ରେସନ ଓ ଉସକାଇବା ଭଳି ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନ ଯୋଗୁଁ ସୃଷ୍ଟି ହେବାକୁ ଥିବା ବିବାଦ ଆଗକୁ ବୃହତ୍ତର ରୂପ ନେଇପାରେ । ବର୍ତ୍ତମାନ ଏଲଏସିରେ ସ୍ଥିତି ଉତ୍ତେଜନାମୂଳକ ରହିଛି । ପିଏଲଏ ଲଦାଖରେ ଯେକୌଣସି ହରକତ କରିବାକୁ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି । କାରଣ ଭାରତୀୟ ଫୋର୍ସ ସତର୍କ ହୋଇ ରହିଛନ୍ତି । ଏପ୍ରିଲ ମାସର ସ୍ଥିତାବସ୍ଥା ସପକ୍ଷରେ ଆମେ ରହିଛୁ । ଏଲଏସିରେ କୌଣସି ପ୍ରକାରର ପରିବର୍ତ୍ତନକୁ ଆମେ ଗ୍ରହଣ କରିବୁ ନାହିଁ କିମ୍ବା ସୀମାରୁ ପଛକୁ ଘୁଞ୍ଚିବୁ ନାହିଁ ବୋଲି ସିଡିଏସ କହିଛନ୍ତି ।

Leave A Reply

Your email address will not be published.