ଗୋଚର ଜବରଦଖଲ ଉଛେଦ ଦାବୀ ତେଜିଲା

0 70

ପିପିଲି ତହସିଲ ଘେରିଲା ଦଳିତ ମହାସଙ୍ଘ

ପିପିଲି :ପିପିିଲି ତହସିଲ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ତରାକାଜ ନିକଟରେ ଥିବା ପ୍ରାୟ ୧୫ଏକର ସରକାରୀ ଗୋଚର ଜମି ଏବେ ଜବରଦଖଲକାରୀଙ୍କ କବଜାରେ ବୋଲି ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ଅଭିଯୋଗ କରିଛି । ଜବରଦଖଲ ଉଛେଦ ପାଇଁ ମହାସଙ୍ଘ ସ୍ଥାନୀୟ ତହସିଲଦାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଉକ୍ତ ମହାସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛି । ଉକ୍ତ ଦଳିତ ମହାସଙ୍ଘର ରାଜ୍ୟ ସଚ୍ଚିବ ବିଜୟ କୁମାର ସେଠୀ ଉକ୍ତ ଗୋଚରକୁ ଜବର ଦଖଲ ମୁକ୍ତ କରିବା ଦାବୀରେ ଆଜି ପିପିଲି ତହସିଲ ଘେରାଉ କରିଛନ୍ତି । ଶ୍ରୀ ସେଠୀଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ଜବରଦଖଲ କରାଯାଇଥିବା ଗୋଚର ଜମି ଠାରୁ ଏକ ଶୋଭାଯାତ୍ରାରେ ପ୍ରାୟ ୨କିମି ଚାଲି ଚାଲି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଯିବା ବାଟରେ ଥାନା ସମ୍ମୁଖ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିଭିନ୍ନ ନାରାବାଜି କରିଥିଲେ । ୭ଦିନ ମଧ୍ୟରେ ଜବର ଦଖଲକାରୀଙ୍କୁ ଉଛେଦ ସହ ସେଠାରେ ବୃକ୍ଷ ରୋପଣ କରାଯାଉ । ସେହିପରି ଉକ୍ତ ଉଛେଦ ପରେ ସେଠାରେ ଏକ ଗୋଶାଳା ନିର୍ମାଣ ପାଇଁ ମଧ୍ୟ ମହାସଙ୍ଘ ଦାବୀ କରିଛି । ପିପିଲି ତହସିଲଦାର ସପନ କୁମାର ନନ୍ଦ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ଏ ସମ୍ପର୍କିତ ଏକ ଦାବୀପତ୍ର ଆନ୍ଦୋଳନକାରୀଙ୍କ ଠାରୁ ଗ୍ରହଣ କରିଥିଲେ । ୧୫ଦିନ ମଧ୍ୟରେ ଉକ୍ତ ଗୋଚର ଜମି ଜବରଦଖଲ ମୁକ୍ତ ନହେଲେ ଏହି ଆନ୍ଦୋଳନ ନବୀନ ନିବାସ ପର୍ଯ୍ୟନ୍ତ ଯିବ ବୋଲି ଦଳିତ ନେତା ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଜବରଦଖଲକାରୀଙ୍କୁ ନୋଟିସ କରାଯାଇଛି ବୋଲି ତହସିଲଦାର ଶ୍ରୀ ନନ୍ଦ କହିଛନ୍ତି । ଜାତୟ ଦଳିତ ମହାସଂଘ ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ସୋନିଲତା ସେଠୀ , ସୁଜାତା ଭୋଇ, ପ୍ରଭାତୀ ମଲ୍ଲିକ, ସବିତା ନାୟକ, କଳ୍ପନା ସେଠୀ, ଲକ୍ଷ୍ମୀପ୍ରୀୟା ବେହେରା, କଳ୍ପନା ବେହେରା, ଅନୁ ବେହେରା ଓ ସସ୍ମିତା ବେହେରୋ ପ୍ରମୁଖ ନାରୀ ନେତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.