ଗୁମ୍ମାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇ ୩ବର୍ଷ ପୁରିଲା ତଥାପି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ।

0 64


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଦିବାସୀ ବହୁଳ ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇ ୩ବର୍ଷ ପୁରିଲା । ତଥାପି ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ନିର୍ମାଣ କାର୍ଯ୍ୟ କେବେ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗୁମ୍ମା ଗ୍ରାମବାସୀ ଦୃଢ ଦାବୀ କରିଛନ୍ତି । ସୂଚନା ଯୋଗ୍ୟ ଯେ ଗୁମ୍ମା ଗ୍ରାମ ସ୍ଥିତ ହାଟପଦା ନିକଟସ୍ଥ ଅଞ୍ଚଳରେ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଗତ ୨୦୧୬-୧୭ ମସିହାରେ ଜାଗା ଚିହ୍ନଟ କରାଯାଇ ଏଥିପାଇଁ ବିକେଜିୱାଇ ଯୋଜନାରେ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏମିତିକି ଏଥି ପାଇଁ ଫଳକ ମଧ୍ୟ ଲାଗିଥିଲା । ହେଲେ ଆଜକୁ ୩ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟର କୌଣସି ନାମଗନ୍ଧ ନାହିଁ । ଅଞ୍ଚଳବାସୀ ଏ ଦିଗରେ ସେମାନଙ୍କ ଅଭିଯୋଗ କରିଛନ୍ତି ଯେ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ଜାଗରେ ପଥର ଗଦାହୋଇ ପଡି ରହିବା ସହ ଅଳିଆ ଆବର୍ଜନା ପଡିରହିଛି । ପ୍ରସ୍ତାବିତ ଜାଗାରେ ନୂତନ ବସଷ୍ଟାଣ୍ଡ ପାଇଁ ନିର୍ମାଣ କାର୍ଯ୍ୟ ହେଉନଥିବା ଯୋଗୁଁ ସେ ଜାଗା ଦୀର୍ଘ ମାସ ହେଲାଣି ଜବର ଦଖଲକାରୀଙ୍କ ଅଧିନରେ ଅଛି । ଏଥିପାଇଁ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଫଳ ପ୍ରଦ ହେଉନି, ଅନ୍ୟପକ୍ଷରେ ଏ ଅଞ୍ଚଳରେ ବସ୍ଷ୍ଟାଣ୍ଡ ଟିଏ ନଥିବାଯୋଗୁଁ ବିଶେଷ କରି ହାଟ ଦିନରେ ରାସ୍ତା ଉପରେ ହିଁ ଯାତାୟତ କରୁଥିବା ବହୁ ବସ, ଟ୍ରକ, କାର, ଅଟୋ, ଟେକ୍ସି ଓ ମାଲବାହୀ ଗାଡି ଗୁଡାକ ରହୁଥିବା ଫଳରେ ଟ୍ରାଫିକ ସମସ୍ୟା ବହୁଳ ଭାବେ ପ୍ରଭାବିତ ହୋଇ ପଡୁଛି । ତେଣୁ ଗୁମ୍ମା ଅଞ୍ଚଳବାସୀ, ସରକାରକୁ ଓ ପ୍ରଶାସନ ଅନୁରୋଧ କରିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରୁ ଜବର ଦଖଲ ଉଚ୍ଛେଦ କରାଯାଇ ଭଲ ବସ୍ଷ୍ଟାଣ୍ଡ ଟିଏ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ କାର୍ଯ୍ୟକ୍ଷମ କରାଗଲେ ଗୁମ୍ମା ଅଞ୍ଚଳବାସୀ ବିଶେଷ ଭାବେ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ।

Leave A Reply

Your email address will not be published.