୨୦ରୁ ବସିବ ବିଧାନସଭା ଶୀତ ଅଧିବେଶନ

0 62

କୋଭିଡ଼ ଟେଷ୍ଟ ପଜିଟିଭ୍‌ ଆସିଲେ ବିଧାନସଭା ମନା

ଭୁବନେଶ୍ୱର : ଆସନ୍ତା ୨୦ରୁ ବସିବ ବିଧାନସଭାର ଶୀତ ଅଧିବେଶନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ । ନଭେମ୍ବର ୧୭ରୁ ୩ଦିନ ଧରି ହେବ କୋଭିଡ଼ ପରୀକ୍ଷା । ସମସ୍ତ ବିଧାୟକ , ମନ୍ତ୍ରୀ, କର୍ମଚାରୀ ଓ ସାମ୍ବାଦିକଙ୍କର କୋଭିଡ଼ ପରୀକ୍ଷା କରାଯିବ । ସମସ୍ତଙ୍କର ୨ଥର ଲେଖାଏଁ କୋଭିଡ଼ ପରୀକ୍ଷା ହେବ । କୋଭିଡ଼ ପଜିଟିଭ୍ ଆସିଲେ ବିଧାନସଭାରେ ପ୍ରବେଶ ଉପରେ ରୋକ । ବିଧାନସଭା ଗୃହକୁ ବିଏମ୍‌ସି ସାନିଟାଇଜ୍‌ କରିବ । ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ ।  ବିଧାୟକ ଚାହିଁଲେ ଭିଡିଓ କନ୍‌ଫେରନ୍ସିଂ ଜରିଆରେ ଯୋଗ ଦେଇପାରିବେ । ପ୍ରଶ୍ନକାଳ ବାତିଲ ହେବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାନାହିଁ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  ଏନେଇ  ସୂଚନା ଦେଇଛନ୍ତି । ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ଯାଏଁ ଚାଲିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି ।  ଏହି ଅଧିବେଶନରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିବ । ସେହିପରି କରୋନା କଟକଣା ମଧ୍ୟରେ ଗତ ଅକ୍ଚୋବର ୬ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଥିଲା। କୋଭିଡ କଟକଣା ଭିତରେ ସମସ୍ତ ଗାଇଡ଼ଲାଇନକୁ ମାନି ଅଧିବେଶନ କରାଯାଇଥିଲା। ଏଥିରେ ସମୁଦାୟ ୭ଟି ବିଲ୍ ପାରିତ ହୋଇଥିଲା। ଏବଂ ୩ଟି ମୁଲତବୀ ନୋଟିସ ଆସିଥିଲା। ତେବେ ଏଥର ପ୍ରଶ୍ନକାଳ ହୋଇନଥିଲା। କେବଳ ଅନତାରକା ପ୍ରଶ୍ନ , ମୁଲତବୀ ନୋଟିସ ଓ ଶୂନ୍ୟକାଳ ହୋଇଥିଲା। ଆସନ୍ତା ଅଧିବେଶନରେ ପ୍ରଶ୍ନକାଳ ହେବ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.