ଗାଡ଼କଣରେ ହେବ ବିଦ୍ୟୁତ୍‌ଚାଳିତ ବସ୍‌ ଡିପୋ

0 67

ବିଦ୍ୟୁତ୍‌ଚାଳିତ ବସ୍‌ ଚାର୍ଜ ପାଇଁ ଗାଡ଼କଣରେ ବିଦ୍ୟୁତ୍‌ ସବ୍‌-ଷ୍ଟେସନ୍‌

ଭୁବନେଶ୍ବର: ବିଦ୍ୟୁତ୍‌ଚାଳିତ ବସ୍‌ ଚାର୍ଜ ପାଇଁ ଗାଡ଼କଣରେ ବିଦ୍ୟୁତ୍‌ ସବ୍‌-ଷ୍ଟେସନ୍‌ ଏବଂ ୫୦ ବସ୍‌ ରହଣି ପାଇଁ ଡିପୋ ନିର୍ମାଣ କରାଯିବ। ଏନେଇ କ୍ରୁଟ୍‌ ପକ୍ଷରୁ ଜାଗା ଚିହ୍ନଟ ହୋଇଛି। ସ୍ଥାନ ପରିଦର୍ଶନ ପାଇଁ ଆସନ୍ତା ସପ୍ତାହରେ ହରିୟାଣା ବସ୍‌ ନିର୍ମାଣକାରୀ ସଂସ୍ଥାର ଏକ ବୈଷୟିକ ପ୍ରତିନିଧି ଦଳ ଭୁବନେଶ୍ବର ଆସିବ। ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସହରରେ ୨୫ ବିଦ୍ୟୁତ୍‌ ଚାଳିତ ବସ୍‌ ଗଡ଼ିବା ଲକ୍ଷ୍ୟ ରଖାଯାଇଥିଲା। କରୋନା ଯୋଗୁଁ ବସ୍‌ ଆସି ପାରିଲା ନାହିଁ। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଏବଂ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପ୍ରତ୍ୟାହୃତ ହୋଇଥିବାରୁ କ୍ରୁଟ୍‌ କର୍ତ୍ତୃପକ୍ଷ ୨୦୨୧ ଜାନୁଆରୀ ଶେଷ ସପ୍ତାହରେ ୨୫ଟି ବିଦ୍ୟୁତ୍‌ଚାଳିତ ବସ୍‌ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ବସ୍‌ଗୁଡ଼ିକ ଫେବୃଆରୀ ପ୍ରଥମ ସପ୍ତାହରେ ରାସ୍ତାରେ ଗଡ଼ିବ। ଅବଶିଷ୍ଟ ୨୫ଟି ବସ୍‌କୁ କର୍ତ୍ତୃପକ୍ଷ ମାର୍ଚ୍ଚ ଶେଷ ସପ୍ତାହରେ ଆଣିବେ। ଏପ୍ରିଲ ପ୍ରଥମ ସପ୍ତାହରୁ ବସ୍‌ ରାସ୍ତାରେ ଚଳାଚଳ ଆରମ୍ଭ କରିବ। ୫୦ ବସ୍‌ ରହିବା ପାଇଁ ଡିପୋ ତିଆରି କରାଯିବ। ବସ୍‌ ତିଆରି ସଂସ୍ଥାର ଏକ ପ୍ରତିନିଧି ଦଳ ଆସି ଡିପୋ ଏବଂ ଚାର୍ଜ ପାଇଁ କିଭଳି ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବ ଅନୁଧ୍ୟାନ କରି ଫେରିଲା ପରେ ନିର୍ମାଣ ଆରମ୍ଭ ହେବ। ଡିସେମ୍ବର ଏବଂ ଜାନୁଆରୀ ଶେଷ ସୁଦ୍ଧା ନିର୍ମାଣ ସାରିବାକୁ କ୍ରୁଟ୍‌ ଲକ୍ଷ୍ୟ ରଖିଛି। ଏଥିସହିତ ସହରରେ ଦୁଇଟି ସ୍ଥାନରେ ଅତିରିକ୍ତ ଚାର୍ଜ ପାଇଁ ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବ। ବସ୍‌ଗୁଡ଼ିକ ଶୀତତାପ ନିୟନ୍ତ୍ରିତ। ଚାଳକଙ୍କୁ ମିଶାଇ ମୋଟ ୩୦ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି। କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ଦୁଇଟି ପର୍ଯ୍ୟାୟରେ ବିଦ୍ୟୁତ୍‌ଚାଳିତ ବସ୍‌ ଆଣି ଚଳାଚଳ କରାଯିବ। ବସ୍‌ ଆସିବା ପୂର୍ବରୁ ଗାଡ଼କଣଠାରେ ଚାର୍ଜ ଏବଂ ଡିପୋ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.