ବଡ଼ ଧରଣର ଅଦଳ ବଦଳ କଲେ ଟ୍ରମ୍ପ

0 77

ୱାଶିଂଟନ: ଆମେରିକାରେ କ୍ଷମତା ହସ୍ତାନ୍ତର ପୂର୍ବରୁ ହୋଇପାରେ ବଡ଼ ଧରଣର ରାଜନୀତିକ ବିଦ୍ରୋହ । ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନ୍ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ନିଜ କାମ ଆରମ୍ଭ କରିଛନ୍ତି । ଅନ୍ୟପଟେ ପରାଜୟ ସ୍ୱୀକାର କରିବାକୁ ନାରାଜ ଏବେର ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସୋମବାର ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପରଙ୍କୁ ତାଙ୍କ ପଦରୁ ହଟାଇ ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ମିଲରଙ୍କୁ କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି । ଏହା ସହ ଟ୍ରମ୍ପ ପୂର୍ବତନ ଜାତୀୟ ସୁରକ୍ଷା ପରିଷଦ କେଶ ପଟେଲଙ୍କୁ ଏହାର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି । ସେହିଭଳି ପେଣ୍ଟାଗନରେ ନିଯୁକ୍ତ ସବୁଠୁ ବଡ଼ ଅଧିକାରୀଙ୍କର ମଧ୍ୟ ବଦଳ କରିଛନ୍ତି ଟ୍ରମ୍ପ । ନିଜ ସରକାରର କାର୍ଯ୍ୟକାଳ ଶେଷ ହୋଇ ଆସୁଥିବା ବେଳେ ଟ୍ରମ୍ପଙ୍କ ଏଭଳି ପ୍ରଶାସନିକ ଅଦଳ ବଦଳ ଆମେରିକା ରାଜନୀତିରେ ଚିନ୍ତା ବଢ଼ାଇଛି । ଆମେରିକାର ବୈଦେଶିକ ସଚିବ ତଥା ମନ୍ତ୍ରୀ ମାଇକ ପୋମ୍ପିଓ ମଧ୍ୟ ଟ୍ରମ୍ପଙ୍କ ନିର୍ବାଚନକୁ ସମର୍ଥନ କରି କହିଛନ୍ତି ଯେ ଶାନ୍ତି ପ୍ରକ୍ରିୟାରେ କ୍ଷମତା ହସ୍ତାନ୍ତର କରାଯିବ । ହେଲେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ସେ କହିଛନ୍ତି । ପୋମ୍ପିଓଙ୍କ ଏହି ପ୍ରତିକ୍ରିୟା ପରେ ପ୍ରଶାସନିକ ସ୍ତରରେ ଅଦଳ ବଦଳ ହେବା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି । ନିର୍ବାଚନ ଫଳାଫଳକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ନିର୍ବାଚନରେ ବିଜୟୀ ହୋଇଛନ୍ତି । ରି କାଉଣ୍ଟିଂ ପରେ ସେ ଜିତିବେ । ଭୋଟ୍ ଗଣତି ବେଳେ ଜାଣିଶୁଣି ଗୋଳମାଳ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଟ୍ରମ୍ପଙ୍କ ଅଭିଯୋଗ ଉପରେ ନିର୍ବାଚନ ଅଧିକାରୀମାନେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କୌଣସି ଠକେଇ କି ଗୋଳମାଳ ହୋଇନାହିଁ । ଏମିତିକି ଠକେଇ ହେବାର ପ୍ରମାଣ ନାହିଁ । ସବୁଠୁ ବଡ଼ କଥା ହେଲା ଟ୍ରମ୍ପଙ୍କ ଏହି ଅଭିଯୋଗକୁ କିନ୍ତୁ ତାଙ୍କରି ଦଳର ଅନେକ ରାଜ୍ୟର ଅଧିକାରୀ ସମର୍ଥନ କରୁନଥିବା ଦେଖିବାକୁ ମିଳିଛି । ନିର୍ବାଚନ ପ୍ରକ୍ରିୟାରେ ଜଡିତ ରାଜ୍ୟସ୍ତରର ପ୍ରମୁଖ ରିପବ୍ଲିକାନ୍ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ ନିର୍ବାଚନରେ କୌଣସି ଠକେଇର ପ୍ରମାଣ ନାହିଁ । ଏପରି ଦାବି କେବଳ ବିଦ୍ରୋହ । ଅନ୍ୟପଟେ ନିର୍ବାଚନ ପରେ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ ୭୯% ଲୋକ ବିଶ୍ୱାସ କରନ୍ତି ଯେ ବିଡେନ ଏହି ନିର୍ବାଚନରେ ଜିତିଛନ୍ତି । ୧୩ ପ୍ରତିଶତ ଲୋକ କହିଛନ୍ତି ଯେ ନିର୍ବାଚନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ କେବଳ ୩ ପ୍ରତିଶତ ଲୋକ କହିଛନ୍ତି ଯେ ଟ୍ରମ୍ପ ଜିତିଛନ୍ତି । ରାଜନୀତିକ ବିଶ୍ଳେଷକମାନେ କହିଛନ୍ତି ଯେ ଟ୍ରମ୍ପଙ୍କ ବିଦ୍ରୋହ ସଫଳ ହୋଇନପାରେ, କିନ୍ତୁ ତାଙ୍କର ଏହି ପ୍ରୟାସ ଆମେରିକାର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ନାହିଁ ।

Leave A Reply

Your email address will not be published.