ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟ କ୍ୟାବିନେଟ୍ ୧୮ଟି ପ୍ରସ୍ତାବ ଉପରେ ମାରିଛି ମୋହର। ତେବେ ଏହାମଧ୍ୟରେ ଚଳିତ ବର୍ଷ (୨୦୨୦-୨୧ ବର୍ଷ)ରେ ୪୮ ଲକ୍ଷ ଟନ୍ ଚାଉଳ ସଂଗ୍ରହ, ପୁରୀ ସହରର ବିକାଶ ଲାଗି ୪୬୧ କୋଟି ଟଙ୍କାର ପ୍ରସ୍ତାବ ଓ ଗ୍ରୀଡ଼କୋ ନିମନ୍ତେ ୨୬୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ମଞ୍ଜୁର କରିବା ତିନିଟି ପ୍ରମୁଖ ପ୍ରସଙ୍ଗ ବୋଲି ସୂଚନା ମିଳିଛି ।
୨୦୨୦-୨୧ ବର୍ଷ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ଅନୁମୋଦନ କରିଛି । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମଞ୍ଜୁରୀ ଦିଆଯାଇଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀମନ୍ଦିର ଓ ପୁରୀ ସହରର ବିକାଶ ଲାଗି ୪୬୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ମାର୍କେଟ କଂପ୍ଲେକ୍ସ ଓ ଶ୍ରୀ ସେତୁ ପାଇଁ ବ୍ୟୟ ବରାଦ କରାଯାଇଛି ।