ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ନିତିଶ

0 72

ପାଟନା ୧୩ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ତଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ସହ ରାଜ୍ୟର ଷୋଡ଼ଶ ବିଧାନସଭା ଭଙ୍ଗହୋଇଛି । କ୍ୟାବିନେଟ ସହମତି ଆଧାରରେ ବିଧାନସଭା ଭଙ୍ଗ କରିବା ଲାଗି ନିତିଶ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।
ତେବେ ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ନିତିଶ ଷୋଡ଼ଶ ବିଧାନସଭାର ମନ୍ତ୍ରୀଙ୍କ ବୈଠକ ଡାକିଥିଲେ । ଭିଡିଓ କନଫରେନସିଂରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ସହଯୋଗୀ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପରେ ମନ୍ତ୍ରୀମଣ୍ଡଳରେ ନିତିଶ ବିଧାନସଭା ଭଙ୍ଗ ଲାଗି ସୁପାରିଶ ପତ୍ର ଉପସ୍ଥାପନ କରିଥିଲେ । ବୈଠକ ଶେଷରେ ନିତିଶ ରାଜଭବନ ଯାଇ ସେଠାରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ନିତିଶ ରାଜ୍ୟପାଳଙ୍କ ସହ ନୂଆ ସରକାର ଗଠନ ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ଏହିପରି ବିହାରରେ ନୂଆ ଜନାଦେଶ ଆଧାରରେ ନୂଆ ସରକାର ଗଠନ ଲାଗି ନିତିଶ ପରମ୍ପରାର ନିର୍ବାହ କରିଛନ୍ତି ।
କ୍ୟାବିନେଟ ବୈଠକରେ ନିତିଶ କରୋନା କାଳର ପ୍ରସଙ୍ଗ ଉଠାଇଥିଲେ । ରାଜ୍ୟରେ କରୋନା ସଂକଟ ସତ୍ତ୍ୱେ ମନ୍ତ୍ରୀମାନେ ନିଜନିଜ କର୍ତ୍ତବ୍ୟ ସୁଚାରୁ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ । ବୈଠକ ପ୍ରାରମ୍ଭରେ ବିଧାନସଭାର ପରଲୋକଗତ ମନ୍ତ୍ରୀଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର ମଧ୍ୟାହ୍ନରେ ଏନଡିଏ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜେଡିୟୁ ଓ ବିଜେପିର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଏଥିରେ ଜିତେନରାମ ମାଁଝୀ ମଧ୍ୟ ଭାଗ ନେଇଥିଲେ । ଏନଡିଏର ପରବର୍ତ୍ତି ବୈଠକ ନଭେମ୍ୱର ୧୫ ତାରିଖରେ ଅନୁଷ୍ଠିତ ହେବ ବୋଲି ନିତିଶ କୁମାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.