ମୁମ୍ବାଇ : କରୋନା ଭୂତାଣୁ ଭାରତୀୟ ତଥା ବିଶ୍ୱ ବଜାରକୁ ସଂକ୍ରମଣ କରିବା ପୂର୍ବରୁ ଗତ ଜାନୁଆରୀରେ ଶୀର୍ଷତମ ୪୧୩୦୬.୦୨ ରେ ବନ୍ଦ ହୋଇଥିଲା ସେନସେକ୍ସ । କରୋନା ସଂକ୍ରମଣ ଯୋଗୁଁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପୁରା କବଳିତ କରିଥିଲା ଓ ପ୍ରାୟ ୧୦ ହଜାର ପଏଣ୍ଟ ହ୍ରାସ ପାଇଥିଲା । ନିବେଶକମାନଙ୍କ ମୁଣ୍ଡରେ ପଡ଼ିଥିଲା ଚଡ଼କ । ଲକ୍ଷଲକ୍ଷ କୋଟି ଟଙ୍କା ସେମାନେ କ୍ଷତିଗ୍ରସ୍ତ ହୋଇଥିଲେ । ମାତ୍ର ଦୀପାବଳି ପୂର୍ବରୁ ଗତ ସପ୍ତାହେ ଧରି ବଜାରରେ ଦେଖା ଦେଇଥିବା ଉତ୍ସାହ ନିବେଶକମାନଙ୍କୁ ପୁଣିଥରେ ମାଲାମାଲ କରିଛି । ଗତ ୮ ମାସରେ ସେମାନେ ସହିଥିବା କ୍ଷତି ୮ ଦିନରେ ଭରଣା ହୋଇ ଯାଇଛି । ଦୁଇଦିନ ତଳେ ସେନସେକ୍ସ ୪୩୦୦୦ ପଏଣ୍ଟ ଉପରକୁ ଉଠି ସର୍ବକାଳୀନ ରେକର୍ଡ଼ କରିଛି ଏବଂ ଶୁକ୍ରବାର ବଜାର ୦.୨୦% ବୃଦ୍ଧି ପାଇ ୪୩୪୪୩ରେ ବନ୍ଦ ହୋଇଛି । ସେହିପରି ଏନଏସଇ (ନେସନାଲ ଷ୍ଟକ ଏକ୍ସଚେଞ୍ଜ) ନିଫ୍ଟି ୦.୨୩% ବୃଦ୍ଧି ପାଇ ୧୨୭୧୯.୧୫ରେ ବନ୍ଦ ହୋଇଛି । ଫଳରେ ୨୦୨୦ ମସିହାରେ ନିବେଶକମାନେ ସହିଥିବା କ୍ଷତି ଭରଣା ହୋଇ ଯାଇଛି । ତେବେ ବଜାର ବିଶେଷଜ୍ଞମାନେ ଏଥିରେ ଉତ୍ସାହିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ଦିନରେ ବଜାରରେ ଅସ୍ଥିରତା ଜାରି ରହିବ, ତେଣୁ ନିବେଶକମାନେ ସତର୍କ ରହିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି ।ବଜାରରେ ଉତ୍ସାହ ସତ୍ତେ୍ୱ କିଛି ବଡ଼ ଷ୍ଟକର ବଜାର ପରିଣାମ ନକରାତ୍ମକ ରହିଛି । ଆଇର୍ଚ ମୋଟର୍ସ, ବଜାଜ୍ ଫିନସର୍ଭ, କୋଲ ଇଣ୍ଡିଆ, ଟଟା ଷ୍ଟିଲ, ଡ଼ିଭିସ ଲ୍ୟାବ୍ସ ସବୁ ସକାରାତ୍ମକ ଅର୍ଥାତ (+) ପ୍ରଦର୍ଶନ କରିଥିବାବେଳେ ଟାଟା ମୋଟର୍ସ, ଏଚଡ଼ିଏଫସି ବ୍ୟାଙ୍କ, ଏଲ ଏଣ୍ଡ ଟି ଓ ୟୁପିଏଲ ସେୟାରଗୁଡ଼ିକ ପରିଣାକ ବିଯୁକ୍ତାତ୍ମକ (-) ରହିଛି । ଅନ୍ୟପକ୍ଷରେ ମିଡ଼ିଆ, ଏଫଏମସିଜି କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ର ଭଲ ପ୍ରଦର୍ଶନ କରିଛି । ସରକାରୀ ବ୍ୟାଙ୍କ, ଫାର୍ମା, ଆଇଟି, ଫାଇନାନ୍ସ ସର୍ଭିସେସ୍, ରିଅଲିଟି, ଧାତୁ ଶିଳ୍ପ ଏବଂ ମୋଟରଯାନ କ୍ଷେତ୍ର ଭଲ ରହିଛି ।