କୋଭିଡ୍ ଆରୋଗ୍ୟ ହାର ୯୩ ପ୍ରତିଶତ : ମୃତ୍ୟୁହାର ୧.୪୭ ପ୍ରତିଶତ

0 73

ନୂଆଦିଲ୍ଲୀ : ଦେଶରେ କୋଭିଡ୍-୧୯ ଆରୋଗ୍ୟ ହାର ପ୍ରାୟ ୯୩ ପ୍ରତିଶତରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାରରୁ ଊଦ୍ଧ୍ୱର୍ କୋଭିଡ୍ ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି । ଏହାକୁ ମିଶାଇ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୮୧ ଲକ୍ଷ ୧୫ ହଜାର ଅତିକ୍ରମ କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମୋଟ୍ ସଂକ୍ରମିତ ସଂଖ୍ୟାର ୫.୫୫ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ବର୍ତ୍ତମାନ ବିଭିତ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ୮୪ ହଜାର ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୮୭୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୭ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ସମୟରେ ଚିହ୍ନଟ, ନମୁନା ପରୀକ୍ଷା ଓ ଚିକିତ୍ସା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଥିବାରୁ ଦେଶରେ ମୃତ୍ୟୁହାର ମଧ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ ୧ ଲକ୍ଷ ୨୮ ହଜାର ୬୬୮ ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଦେଶରେ କୋଭିଡ୍ ଜନିତ ମୃତ୍ୟୁହାର ୧.୪୭ ପ୍ରତିଶତକୁ ହ୍ରାସ ପାଇଛି । ଭାରତୀୟ ଭେଷଜ ଗବେଷଣା ପରିଷଦ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୩୯ ହଜାରରୁ ଊଦ୍ଧ୍ୱର୍ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୧୨ କୋଟି ୩୧ ଲକ୍ଷ ନମୁନା ପରୀକ୍ଷା ହୋଇଛି । ଅନ୍ୟପକ୍ଷରେ ଗତ ୬ ସପ୍ତାହ ମଧ୍ୟରେ ଦୈନିକ ହାରାହାରି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।

Leave A Reply

Your email address will not be published.