ସାଙ୍ଘାତିକ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ

0 50

ନୂଆଦିଲ୍ଲୀ, ୧୫ ।୧୧: କରୋନା ମହାମାରୀକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ଏହିକ୍ରମରେ ରାଜଧାନୀରେ ଦିଲ୍ଲୀରେ ମଧ୍ୟ ବାଣ ଫୁଟାଇବା ଓ ବିକ୍ରିକୁ ବ୍ୟାନ୍ କରାଯାଇଛି । କିନ୍ତୁ ଶନିବାର ଦୀପାବଳି ଅବସରରେ ରାଜଧାନୀ ଲୋକେ ଖୁବ୍ ବାଣ ଫୁଟାଇ ଏସବୁ କଟକଣାକୁ ଫୁ’ କରିଦେଇଛନ୍ତି । ଏହାର ପ୍ରଭାବରେ ଦିଲ୍ଲୀରେ ବାୟୁର ପ୍ରଦୂଷଣ ମାତ୍ରା ଏବେ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରଦୁଷଣର ସ୍ତର ବିପଜ୍ଜନକ ରହିବ ଏବଂ ଏହାର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ । ଦିପାବଳୀ ରାତିରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀର ଏୟାର୍ କ୍ୱାଲିଟି ଇଣ୍ଡେକ୍ସନ୍ () ବିପଜ୍ଜନକ ଶ୍ରେଣୀରେ ପହଞ୍ଚିଯାଇଛି । ଦିଲ୍ଲୀର କିଛି ଅଞ୍ଚଳରେ ଏବେ ୯୯୯ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ପ୍ରଦୁଷଣର ମୁକାବିଲା ପାଇଁ ଉତ୍ତର ଦିଲ୍ଲୀ ନଗର ନିଗମ ବିଳମ୍ୱିତ ରାତି ପର୍ଯ୍ୟନ୍ତ ପାଣି ଛିଞ୍ଚନ କରିଥିଲା । ବିଶେଷ କରି ହଟ୍ ସ୍ପଟ୍ ଅଞ୍ଚଳରେ ପ୍ରଦୁଷଣକୁ କମ୍ କରିବା ପାଇଁ ଖୋଦ୍ ଉତ୍ତର ଦିଲ୍ଲୀର ମେୟର ଜୟପ୍ରକାଶ ରାସ୍ତାକୁ ଓହ୍ଲାଇଥିଲେ । ଦିଲ୍ଲୀରେ ରାତି ୪ଟା ପର୍ଯ୍ୟନ୍ତ ବିପଜ୍ଜନକ ସ୍ଥିତିରେ ଥିବା ଦେଖିବାକୁ ମିଳିଛି । ଆନନ୍ଦ ବିହାରରେ ୫୭୨, ମନ୍ଦିର ମାର୍ଗରେ ୭୮୫, ପଞ୍ଜାବୀ ବାଗରେ ୫୪୪, ଦ୍ୱାରକା ସେକ୍ଟର-୧୮ରେ ୫୦୦, ସୋନିଆ ବିହାରରେ ୪୬୨, ଆମେରିକା ଦୂତାବାସରେ ୬୧୦, ଶହୀଦ ସୁଖଦେବ କଲେଜ୍ ଅଫ୍ ବିଜନେସ୍ ଷ୍ଟଡିଜରେ ୯୯୯, ଜଙ୍ଗାଗିରପୁରରେ ୭୭୩, ସତ୍ୟବତୀ କଲେଜରେ ୮୧୮ ଓ ବବାନାରେ ୬୨୩ ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ କରୋନା ସମୀକ୍ଷା କରିବା ପରେ ଦିଲ୍ଲୀ ସରକାର ନଭେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ବ୍ୟାନ୍ ଲଗାଇଥିଲେ । ଯେହେତୁ ଦିଲ୍ଲୀରେ ଏବେ କରୋନା ୟୁଟର୍ଣ୍ଣ କରିଛି, ତେଣୁ ରାଜ୍ୟ ସରକାର ଏହି ଘୋଷଣା କରିଥିଲେ । ଏପରିକି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାଣ ନଫୁଟାଇବା ପାଇଁ ଅପିଲ୍ କରିଥିଲେ ।

Leave A Reply

Your email address will not be published.