ପାକିସ୍ତାନର ଡୋସିଅରକୁ ଖାରଜ କଲା ଆଫଗାନ୍

0 83

ନୂଆଦିଲ୍ଲୀ ୧୬ ।୧୧ : ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଏବଂ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ପାକିସ୍ତାନ ପାଇଁ ଆଉ ଏକ ଝଟକା । ଭାରତ ପରେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନର ତଥାକଥିତ ଡୋସିଅରକୁ ଖାରଜ କରିଦେଇଛି । ଏ ବାବଦରେ କାବୁଲ କହିଛି ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ନିଯୁକ୍ତ ପ୍ରତିନିଧିମଣ୍ଡଳଙ୍କୁ ପାକିସ୍ତାନ ତାର ଦାବିପତ୍ରର ସତ୍ୟପାଠ ଦାଖଲ କରିବାକୁ ଅନୁମତି ଦେବା ଦରକାର । ଆଫଗାନିସ୍ତାନ ବିଦେଶ ମନ୍ତ୍ରାଳୟ କହିଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଶାନ୍ତି ଏବଂ ଏକତା ପାଇଁ କାର୍ଯ୍ୟ ଯୋଜନାକୁ ଚଳିତ ସପ୍ତାହ ମଧ୍ୟରେ ଅର୍ଥାତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାବୁଲ ଆସିବା ପୂର୍ବରୁ ଏହି ମୁଦ୍ଦା ଉଠାଇବା ଆବଶ୍ୟକ । ଭାରତ ପକ୍ଷରୁ ଗତ ରବିବାର ଦିନ ଏହି ଡୋସିୟରକୁ ଖାରଜ କରାଯାଇଥିଲା । ଯେଉଁଥିରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଭଳି ଅଭିଯୋଗ କରାଯାଇଥିଲା । ସେହି ଡୋସିୟରକୁ ଖାରଜ କରିବା ସହିତ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ନେଇ ପାକିସ୍ତାନର ଭୂମିକା କେତେ ତାହା ବିଶ୍ୱବାସୀଙ୍କୁ ଜଣା ଅଛି ବୋଲି ଭାରତ କହିଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ଏବଂ ମୁଖ୍ୟ ସୈନ୍ୟ ପ୍ରବକ୍ତା ଜେନେରାଲ ବାବର ଇଫତିଖାର ଗତ ଶନିବାର ଡୋସିୟର ଜାରୀ କରିଥିଲେ । ଉକ୍ତ ଡୋସିୟରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଭାରତର ଗୁପ୍ତ ଭାଗୀଦାରି ଅଛି ବୋଲି ଅଭିଯୋଗ କରିଥିଲେ । ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ଆଫଗାନିସ୍ତାନର ସହଯୋଗ ନେଉଛି । କିନ୍ତୁ ପାକିସ୍ତାନର ଏହି ଅଭିଯୋଗକୁ ଆଫଗାନିସ୍ତାନ ମୂଳରୁ ହିଁ ଖାରଜ କରିଦେଇଥିଲା । ପାକିସ୍ତାନର ଏହି ଅଭିଯୋଗ ପରେ ଆଫଗାନ ବିଦେଶ ମନ୍ତ୍ରାଳୟ କହିଛି ଯେ ପାକିସ୍ତାନ ସେନା ପ୍ରବକ୍ତାଙ୍କ ଏହି ଅଭିଯୋଗକୁ ଦୃଢତାର ସହ ଖଣ୍ଡନ କରାଯାଉଛି । ଆଫଗାନ ବିଦେଶ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ ବିଶ୍ୱରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆଫଗାନିସ୍ତାନ ସର୍ବଦା ପ୍ରତିଶୃତିବଦ୍ଧ । ଆଫଗାନିସ୍ତାନ ଏହି ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜାରି ରଖିଛି । ବିଦେଶ ମନ୍ତ୍ରାଳୟ କହିଛି ଯେ ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ମୁଦ୍ଦାକୁ ନେଇ ଆଲୋଚନା ହେବ । ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନେଇ ଟାର୍ଗେଟ କରିଛି ଆଫଗାନିସ୍ତାନ ବିଦେଶ ମନ୍ତ୍ରାଳୟ ।

Leave A Reply

Your email address will not be published.