ଗୋଟିଏ ଦିନରେ ଫାଶୀ ଖୁଣ୍ଟରେ ଝୁଲିଲେ ୨୧

0 55

ନୂଆଦିଲ୍ଲୀ, ୧୭ ।୧୧: ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ୨୧ ଅପରାଧୀଙ୍କୁ ସୋମବାର ଦିନ ଫାଶୀ ଖୁଣ୍ଟରେ ଝୁଲାଇଛି ଇରାକ । ଏତେ ସଂଖ୍ୟକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ନେଇ ଖବର ସାଧାରଣରେ ପ୍ରକାଶ ହେବା ପରେ ମାନବ ଅଧିକାର ସଂଗଠନ ଇରାକ ସରକାରଙ୍କ ବିରୋଧରେ ବିରୋଧ ଆରମ୍ଭ କରିଛନ୍ତି । ସମସ୍ତ ଅପରାଧୀଙ୍କୁ ଇରାକର କୁଖ୍ୟାତ ନାସିରିୟା ଜେଲରେ ଫାଶୀ ଦିଆଯାଇଥିବା ଜଣାପଡିଛି । ଇରାକ ପକ୍ଷରୁ କୁହାଯାଇଛି ଯେ ୨୦୦୫ରେ ଆତଙ୍କବାଦ ବିରୋଧୀ ଅଧିନିୟମ ଅନୁଯାୟୀ ମୃତ୍ୟୁଦଣ୍ଡ ପାଇଥିବା ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । କିନ୍ତୁ ଫାଶୀ ହୋଇଥିବା ଲୋକମାନେ କେଉଁ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ଭାଗ ନେଇଛନ୍ତି ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ବିସ୍ତୃତ ସୂଚନା ପ୍ରଦାନ କରାଯାଇ ନାହିଁ । ଏହି ଦଣ୍ଡ ନିଷ୍ପତ୍ତିକୁ ନାସିରିୟା ଜେଲରେ ଲାଗୁ କରାଯାଇଥିଲା । ଇରାକର ଏହା ହେଉଛି ଏକମାତ୍ର କାରାଗାର ଯେଉଁଠାରେ ମୃତ୍ୟୁଦଣ୍ଡ ଦିଆଯାଉଥିବା ବନ୍ଦୀମାନଙ୍କୁ ରଖାଯାଏ । ଏହି କାରାଗାରରେ ସଦ୍ଦାମ ହୁସେନ୍ ଶାସନର ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦିଆଯାଇଥିଲା । ଇରାକରେ ମୃତ୍ୟୁଦଣ୍ଡ ଏକ ସାଧାରଣ କଥା । ସମସ୍ତ ବିରୋଧ ସତ୍ତେ୍ୱ୍ୱ ଏଠାରେ ସରକାର ଫାଶୀଦଣ୍ଡକୁ ରଦ୍ଦ କରି ନାହାଁନ୍ତି । ୨୦୧୭ର ଶେଷ ଭାଗରେ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ ଉପରେ ବିଜୟ ପରେ ଜିହାଦୀ ଗୋଷ୍ଠୀ ପ୍ରତି ସମର୍ଥନ କରୁଥିବା ଅଭିଯୋଗରେ ଇରାକ ନିଜର ଶହ ଶହ ନାଗରିକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ତେବେ ଏହି ଲୋକମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେକଙ୍କୁ କ୍ରୁଶରେ ଚଢାଇ ଦିଆଯାଇଥିଲା, କାରଣ ଇରାକରେ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବାପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ନିହାତି ଆବଶ୍ୟକ ଏବଂ ସେତେବେଳେ ଏହା ସମ୍ଭବ ହୋଇନଥିଲା ବୋଲି କେତେକ ଲୋକଙ୍କୁ କ୍ରୁଶବିଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ପୋଲିସ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ନ୍ୟୁଜ୍ ଏଜେନ୍ସି କହିଛି ଯେ ସୋମବାର ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ୨୧ ଜଣଙ୍କ ମୃତ୍ୟୁକୁ ରାଷ୍ଟ୍ରପତି ବାରହାମ ସାଲିହ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତବର୍ଷ ଅର୍ଥାତ୍ ୨୦୧୯ରେ ମଧ୍ୟ ଇରାକରେ ୧୦୦ ଲୋକଙ୍କୁ ଫାଶୀ ଦିଆଯାଇଥିଲା । ଆମ୍ନାଷ୍ଟେ ଇଣ୍ଟରନ୍ୟାସନାଲ ତଥ୍ୟ ଅନୁଯାୟୀ ସର୍ବାଧିକ ମୃତ୍ୟୁଦଣ୍ଡ ପ୍ରଦାନ କରୁଥିବା ଦେଶମାନଙ୍କ ମଧ୍ୟରେ ଇରାକ ପଞ୍ଚମ ସ୍ଥାନରେ ରହିଛି ।

Leave A Reply

Your email address will not be published.