ପ୍ଲାଷ୍ଟିକ୍ କାରଖାନାରେ ବିସ୍ଫୋରଣ, ୫ ମୃତ

0 69

ମାଲଦା ୧୯ ।୧୧: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ସୁଜାପୁରସ୍ଥିତ ଏକ ପ୍ଲାଷ୍ଟିକ୍ କାରଖାନାରେ ଗୁରୁବାର ବିସ୍ଫୋରଣ ହୋଇଛି । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ କାରଖାନାରେ ଭୀଷଣ ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣା ବସତଃ ଏହି ବିସ୍ଫୋରଣ ହୋଇଥିବା ପଶ୍ଚିମବଙ୍ଗ ଗୃହ ବିଭାଗ କହିଛନ୍ତି । କାରଖାନାରେ ବିସ୍ଫୋରଣକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ କାରଖାନାରେ ବିସ୍ଫୋରଣ କିପରି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ରାଜ୍ୟ ସରକାର ବିସ୍ଫୋରଣରେ ମୃତାହତ ଲୋକଙ୍କ ଲାଗି କ୍ଷତିପୂରଣ ଘୋଷଣା କରିଛନ୍ତି । ଘଟଣାସ୍ଥଳକୁ ଜିଲ୍ଲା କଲେକ୍ଟର, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ସମ୍ପୃକ୍ତ କ୍ଷେତ୍ରର ମନ୍ତ୍ରୀଙ୍କୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାରଖାନା ବିସ୍ଫୋରଣ ମାମଲାରେ ଜିଲ୍ଲା କଲେକ୍ଟର ଓ ଏସପିଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି । ଦୁର୍ଘଟଣାରେ ମୃତକଙ୍କ ପରିବାର ଲାଗି ରାଜ୍ୟ ସରକାର ୨ଲକ୍ଷ ଟଙ୍କା ଲେଖଏଁ ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଲାଗି ୫୦ ହଜାର ଟଙ୍କାର ସହୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି । ବିସ୍ଫୋରଣ କାଣ୍ଡର ଯାଞ୍ଚ ହେଉଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.