ସୁବ୍ରତଙ୍କ ପାଇଁ ସେବି ହେଲା ସଶକ୍ତ

0 67

୬୨ହଜାର ୬୦୦ କୋଟି ଟଙ୍କା ଜମା ନକଲେ ଜେଲ୍ ପଠାଯାଉ

ନୂଆଦିଲ୍ଲୀ, ୨୦ ।୧୧: ଭାରତୀୟ ପ୍ରତିଭୂମି ଓ ବିନିମୟ ବୋର୍ଡ(ସେବି) ପୁଣି ଥରେ ସାହାରା ଗ୍ରୁପର ପ୍ରମୁଖ ସୁବ୍ରତ ରାୟଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ସେବି ଦାବି କରିଛି ଯେ, ସୁବ୍ରତ ରାୟ ତୁରନ୍ତ ନିଜ ଦୁଇ କମ୍ପାନୀର ଥିବା ୬୨୬୦୦ କୋଟି ଟଙ୍କାର ବକେୟା ରାଶି ଜମା କରନ୍ତୁ । ଯଦି ଟଙ୍କା ଜମା ନକରନ୍ତି ତେବେ ତାଙ୍କୁ ଜେଲ୍ ପଠାଯାଉ । ଉଲ୍ଲେଖନୀୟ ସୁବ୍ରତ ରାୟ ସଂପ୍ରତି ପାରୋଲରେ ଅଛନ୍ତି । ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ଆବେଦନରେ ସେବି କହିଛି ଯେ, ୨୦୧୨ ଓ ୨୦୧୫ରେ କୋର୍ଟ ସୁବ୍ରତ ରାୟଙ୍କୁ ବାର୍ଷିକ ୧୫ ପ୍ରତିଶତ ସୁଧ ସହ ନିବେଶକଙ୍କ ଟଙ୍କା ଫେରସ୍ତ କରିବାକୁ ଆଦେଶ ଦେଇଥିଲେ । ମାତ୍ର ସାହାରା ତରଫରୁ କୋର୍ଟ ଆଦେଶର କାର୍ଯ୍ୟକାରୀ କରାଯାଇ ନାହିଁ । ଗତ ୮ ବର୍ଷ ହେବ ସୁବ୍ରତ ରାୟଙ୍କ କମ୍ପାନୀ ନିବେଶଙ୍କ ବିପୁଳ କ୍ଷତି କରିଛନ୍ତି । ସେପଟେ ନିବେଶକ ହଇରାଣରେ ଥିବା ବେଳେ ସୁବ୍ରତ ରାୟ ପାରୋଲରେ ଆସି ମଜା ମାରୁଥିବା ସେବି ଆବେଦନରେ ଉଲ୍ଲେଖ କରିଛି । ସେବି ତରଫରୁ କୁହାଯାଇଛି, ସାହାରା ଏ ପର୍ଯ୍ୟନ୍ତ ନିବେଶକଙ୍କ କେବଳ ମୂଳଧନ ଫେରସ୍ତ କରିଛି । ସୁଧ ଏବେ ବୃଦ୍ଧି ଘଟି ୬୨,୬୦୦ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଅପରପକ୍ଷେ ସମସ୍ତ ଅଭିଯୋଗ ସଂଦର୍ଭରେ ସାହାରା କହିଛି, ତାଙ୍କ ତରଫରୁ ୨୦୨୦ କୋଟି ଟଙ୍କା ଜମା କରାଯାଇଛି । ଏତେ ପରିମାଣରେ ଟଙ୍କା ଦେବା ପରେ ମଧ୍ୟ ପୂରା ଅର୍ଥ ସହିତ ସୁଧ ଯୋଡାଯିବା ଭୁଲ୍ ଅଟେ । ସାହାରା ପ୍ରମୁଖ ସୁବ୍ରତ ରାୟଙ୍କୁ ୨୦୧୪ ମାର୍ଚ୍ଚରେ ଗିରଫ କରାଯାଇଥିଲା । ଅଦାଲତଙ୍କ ଏକ ଅବମାନନା ସଂପର୍କିତ ଶୁଣାଣିରେ ଉପସ୍ଥିତ ନହେବାରୁ ପରେ ତାଙ୍କୁ ଗିରଫ କରାଯାଇଥିଲା । ୨୦୧୬ ମେ ୬ରେ ମାଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ସାମିଲ ହେବା ପାଇଁ ରାୟଙ୍କୁ ପାରୋଲ ଦିଆଯାଇଥିଲା । ଏହା ପରେ ୨୦୧୬ ନଭେମ୍ବର ୨୮ରେ ସୁପ୍ରିମକୋର୍ଟ ଜେଲ୍ରୁ ବାହାରିବା ପାଇଁ ହେଲେ ୨୦୧୭ ଫେବୃଆରୀ ସୁଦ୍ଧା ୬୦୦ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.