ତାରା ଗର୍ଜିଲେ ଦେଲେ ଚେତାବନୀ

0 70

‘ସ୍କୁଲ ବନ୍ଦ ହେଲେ ବିଧାନସଭାରେ ମୁଁ ମୋ ବେକ କାଟି ଜୀବନ ହାରିବି’

ଭୁବନେଶ୍ବର ୨୧।୧୧: ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନବଦଳାଇଲେ ଆତ୍ମହତ୍ୟା କରିବି ବୋଲି କଂଗ୍ରେସ ନେତା ତାରା ବାହିନୀପତି ଧମକ ଦେଇଛନ୍ତି । ସେ ବିଧାନସଭା ଭିତରେ ନିଜ ବେକ କାଟି ଆତ୍ମହତ୍ୟା କରିବେ ବୋଲି ତାରା କହିଛନ୍ତି । ସେ ବାଚସ୍ପତିଙ୍କୁ ଏକଥା ଜଣାଇ ଦେଇଛନ୍ତି ବୋଲି ତାରା କହିଛନ୍ତି । ସ୍କୁଲ କାହିଁକି ବନ୍ଦ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଏଥିପ୍ରତି ବିଚାର ବିମର୍ଷ କରନ୍ତୁ, ନଚେତ୍ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ପଳାଇବା । କମ୍ ପିଲା ଥିବା ସ୍କୁଲ ବନ୍ଦ ପ୍ରସଙ୍ଗକୁ ଗୃହରେ ବିରୋଧ କରିଛି କଂଗ୍ରେସ । ପାହାଡିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ ଡେଇଁ ଯିବାକୁ ପଡିବ । ଫଳରେ ଯେତିକି ପିଲା ଅଛନ୍ତି ସେମାନେ ଡ୍ରପ୍ ଆଉଟ୍ ହେବେ । ପିଲାମାନଙ୍କୁ ଅଶିକ୍ଷିତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଯିଏ ବି ଏହି ନିଷ୍ପତ୍ତି ନେଇଛନ୍ତି ପୁନର୍ବିଚାର କରନ୍ତୁ । ନହେଲେ କେବିକେ ଅଞ୍ଚଳରେ ଆନ୍ଦୋଳନ କରିବୁ । ସରକାର ଏଥିପାଇଁ ଦାୟୀ ରହିବେ । ରାଜ୍ୟରେ ବ୍ରିଟିଶ ରାଜ ଚାଲିଛି କହି ତାରା ସମାଲୋଚନା କରିଛନ୍ତି । ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ । ସରକାର ପଦକ୍ଷେପ ନିଅନ୍ତୁ ବୋଲି ତାରା କହିଛନ୍ତି । ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ । ରାଜ୍ୟରେ ୭୭୭୨ଟି ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି । ୧୪ ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ୭୭୭୨ଟି ସ୍କୁଲ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି କରିଛି ଅଭିଭାବକ ସଂଘ । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ। ତେବେ କୌଣସି ଛାତ୍ରଛାତ୍ରୀ ଯେମିତି ଡ୍ରପ୍ ଆଉଟ୍ ନ ହୁଅନ୍ତି ତାକୁ ଆଖି ଆଗରେ ରଖି ବହୁ ଆଗରୁ ଏ ନିଷ୍ପତ୍ତି ନିଆଯାଇଛି । ଏ ସଂକ୍ରାନ୍ତରେ ବିବୃତି ରଖାଯାଇଛି । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବାର ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କର ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.