ପାକିସ୍ତାନକୁ ଭାରତର କଡ଼ା ଚେତାବନୀ

0 61

ଜାତୀୟ ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ, ୨୧ ।୧୧: ଆତଙ୍କୀସ୍ତାନ ପାକିସ୍ତାନକୁ ଆଜି ଭାରତ କଡ଼ା ଚେତାବନୀ ଦେଇଛି । ନାଗରେଟାରେ ୪ ଆତଙ୍କୀ ନିହତ ହେବା ଓ ସେମାନଙ୍କ ସମ୍ପର୍କ ସିଧାସଳଖ ପାକିସ୍ତାନ ସହ ରହିଥିବା ଜଣାପଡ଼ିବା ପରେ ଆଜି ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ଅଧିକାରୀକୁ ସମନ କରାଯାଇଥିଲା । ଗୁଇନ୍ଦା ସୂଚନା ଅନୁସାରେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ନିର୍ବାଚନକୁ ଭଣ୍ଡୁର କରିବାକୁ ·ହୁଁଛନ୍ତି । ତେଣୁ ଆଜି ଭାରତ ପାକିସ୍ତାନର ଅଧିକାରୀଙ୍କୁ ଡାକି ଏହାର ପ୍ରତିବାଦ କରିଛି । ଏଥିସହ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି । ମନ୍ତ୍ରଣାଳୟ କହିଛି ଯେ ଆତଙ୍କବାଦ ସହ ଲଢ଼େଇ କରି ଦେଶର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ । ଜାତୀୟ ସୁରକ୍ଷା ପାଇଁ ଦରକାର ପଡ଼ିଲେ ଭାରତ ଯେକୌଣସି ପଦକ୍ଷେପ ଗ୍ରହଣ କରିପାରିବ । ପାକିସ୍ତାନ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ । ତା’ ଅଧୀନରେ ଥିବା କୌଣସି ଅଞ୍ଚଳକୁ ଆତଙ୍କବାଦୀମାନେ ଯେମିତି ବ୍ୟବହାର ନ କରିବେ, ତା’ର ବ୍ୟବସ୍ଥା କରୁ । ଏକଥା ଭାରତ ଦୀର୍ଘ ଦିନ ହେଲା ଦାବି କରି ଆସୁଛି । ତଥାପି ପାକିସ୍ତାନ ନିଜ ମାଟିକୁ ଆତଙ୍କୀମାନଙ୍କ ବ୍ୟବହାର ପାଇଁ ଛାଡ଼ି ଦେଇଛି । ଏଥିସହ ସେମାନଙ୍କୁ ସୀମା ପାର କରାଇବା ଭାରତ ବିରୋଧୀ କାର୍ଯ୍ୟ କରିବା ପାଇଁ ସହାୟତା ଯୋଗାଇ ଦେଉଛି ବୋଲି ମନ୍ତ୍ରଣାଳୟ କହିଛି । ଗୁରୁବାର ସକାଳେ ଜମ୍ମୁର ନାଗରେଟାରେ ୪ ଜଣ ଜୈଶ ଆତଙ୍କୀ ନିହତ ହୋଇଥିଲେ । ସେମାନେ ଗୋଟିଏ ସେଓ ବୋଝେଇ ଟ୍ରକରେ ଆକ୍ରମଣ ପାଇଁ ଆସିଥିଲେ । ହେଲେ ଭାରତୀୟ ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ଏକ ବଡ଼ଧରଣ ଆକ୍ରମଣ ପଣ୍ଡ ହୋଇଯାଇଥିଲା । ଏହି ଟ୍ରକ୍ରୁ ୧୧ଟି ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗ୍ରେନେଡ ଓ ବିସ୍ଫୋରକ ଜବତ ହୋଇଥିଲା । ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ଭଳି ଆତଙ୍କବାଦୀମାନେ ଆଉ ଥରେ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଥିଲେ ବୋଲି ଭାରତୀୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି ।

Leave A Reply

Your email address will not be published.