ଲମ୍ବା ଫର୍ମାଟରେ ଖେଳିବା ପୂର୍ବରୁ ନିଜକୁ ସଂପୂର୍ଣ୍ଣ ଫିଟ୍ କରି ନେବା ଉଚିତ୍

0 60

ନୂଆଦିଲ୍ଲୀ, ୨୧ ।୧୧: ଭାରତର ସୀମିତ ଓଭର କ୍ରିକେଟ୍ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ହାର୍ମଷ୍ଟ୍ରିଙ୍ଗ ସମସ୍ୟାକୁ ନେଇ ହୋଇଥିବା ହୋହାଲ୍ଲା ଭ୍ରମିତ କରିବା ସହିତ ମନୋରଞ୍ଜନପୂର୍ଣ୍ଣ ଥିଲା । କାରଣ ରୋହିତ ସର୍ବଦା ଜାଣିଥିଲେ ଯେ, ତାଙ୍କର ଆଘାତ ସମସ୍ୟା ସେତେଟା ଗମ୍ଭୀର ନୁହେଁ ଏବଂ ସେ ଅଷ୍ଟ୍ରେଲିଆ ଗସ୍ତରେ ଖେଳିବା ଲାଗି ପ୍ରସ୍ତୁତ । ଆଇପିଏଲ ଖେଳିବା ସମୟରେ ରୋହିତଙ୍କୁ ଆଘାତ ଲାଗିଥିଲା । ଏହି କାରଣରୁ ତାଙ୍କୁ ଚଳିତ ମାସରେ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯାଇଥିଲା । ଏହା ପରେ ରୋହିତ ଶର୍ମା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ପରେ ତାଙ୍କର ଆଘାତଜନିତ ସମସ୍ୟାକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଥିଲା । ଏହା ବିବାଦର ରୂପ ନେଉଥିବା ଦେଖି ବିସିସିଆଇ ପରବର୍ତ୍ତୀ ସମୟରେ ରୋହିତଙ୍କୁ ଟେଷ୍ଟ ଦଳରେ ସାମିଲ କରିଛି । ରୋହିତ ଶର୍ମା କହିଛନ୍ତି, ସେତେବେଳେ କଣ ହେଉଥିଲା ଏବଂ ଲୋକେ କାହା ବିଷୟରେ କଥା କହୁଥିଲେ ମୁଁ କିଛି ବୁଝି ପାରୁନଥିଲି । ମାତ୍ର ଆନୁଷ୍ଠାନିକ ଭାବେ କହିବାକୁ ଚାହୁଁଛି ଯେ, ବିସିସିଆଇ ଓ ମୁମ୍ବାଇ ଇଣ୍ଡିଆନ୍ସ ସହିତ କ୍ରମାଗତ ଯୋଗାଯୋଗରେ ଥିଲି । ସେ ଯନ୍ତ୍ରଣା ସ୍େତ୍ତ୍ୱ ବି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ ଫାଇନାଲ ମ୍ୟାଚ୍ ଖେଳି ୫୦ ବଲରୁ ୬୮ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ଯିବା ପୂର୍ବରୁ ରୋହିତ ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ରାଷ୍ଟ୍ରୀୟ ଏକାଡେମୀରେ ଟ୍ରେନିଂ ନେଉଛନ୍ତି । ରୋହିତ କହିଛନ୍ତି, ମୁଁ ମୁମ୍ବାଇ ଇଣ୍ଡିଆନ୍ସକୁ ଜଣାଇ ଦେଇଥିଲି ଯେ, ମୁଁ ପଡିଆକୁ ଓହ୍ଲାଇ ପାରିବି କାରଣ ଏହା ଛୋଟ ଫର୍ମାଟ୍ର ଖେଳ ଥିଲା ଏବଂ ପରିସ୍ଥିତି ବିଷୟରେ ବେଶ୍ ଭଲ ଭାବେ ଅବଗତ ଥିଲି । ରୋହିତ କହିଛନ୍ତି, ହାମଷ୍ଟ୍ରିଙ୍ଗ ଏବେ ସଂପୂର୍ଣ୍ଣ ଠିକ୍ ଅଛି । ଏହାକୁ ମଜବୁତ କରିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଲମ୍ବା ଫର୍ମାଟରେ ଖେଳିବା ପୂର୍ବରୁ ମୋତେ ନିଜକୁ ସଂପୂର୍ଣ୍ଣ ଫିଟ୍ କରି ନେବା ଉଚିତ୍ । ଆଶା କରୁଛି ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସଂପୂର୍ଣ୍ଣ ଫିଟ୍ ହୋଇ ସାରିଥିବି । ସେ କହିଛନ୍ତି, ଥରେ ଆଘାତ ଲାଗିବାରୁ ପରବର୍ତ୍ତୀ ଦୁଇଦିନ ମୁଁ କେବଳ ଏହା ଦେଖିବାକୁ ଚେଷ୍ଟା କରିଥିଲି ଯେ, ଆଗାମୀ ୧୦ ଦିନ ମୁଁ କଣ କରି ପାରିବି । ମୁଁ ଏହା ଚିନ୍ତା କରୁଥିଲି ଯେ, ମୁଁ ଖେଳି ପାରିବି କି ନାହିଁ । ଯେ ପର୍ଯ୍ୟନ୍ତ ପଡିଆକୁ ଓହ୍ଲାଇ ନାହିଁ ସେ ପର୍ଯ୍ୟନ୍ତ ଜଣା ନଥିଲା ଯେ, ଶରୀର କେଉଁ ଭଳି ବ୍ୟବହାର କରୁଛି ।

Leave A Reply

Your email address will not be published.