ଜୁନ୍ ୨୦୨୧ ପର୍ଯ୍ୟନ୍ତ ବଢ଼ିବନି ମହଙ୍ଗା ଭତ୍ତା

0 61

ନୂଆଦିଲ୍ଲୀ ୨୧ ।୧୧: ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟର ପ୍ରାଇଜ୍ (ସିପିଏସଇ) କର୍ମଚାରୀଙ୍କୁ ଲାଗିଛି ତାଗଡା ଝଟକା । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଅଟକି ଯାଇଛି । ୨୦୧୭, ୨୦୦୭, ୧୯୯୭, ୧୯୯୨ ଓ ୧୯୮୭ ମସିହା ଆଇଡିଏ ବେତନ ସଂଶୋଧନ ଗାଇଡଲାଇନ ଅନୁସାରେ ସିପିଏସ୍ଇ କର୍ମଚାରୀମାନଙ୍କୁ ୧ ଅକ୍ଟୋବାର ୨୦୨୦ରୁ ଦେୟ ମହଙ୍ଗା ଭତ୍ତାର ଅତିରିକ୍ତ କିସ୍ତି ପୈଠ ନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ଉପୁଜିଥିବା ପରିସ୍ଥିତି ଲାଗି ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦେଶରେ କରୋନା ଭାଇରସ ଲକଡାଉନ ରାଜସ୍ୱ ଆୟ ହ୍ରାସ କରିଛି । ଏଣୁ ସାର୍ବଜନିକ ଉପକ୍ରମ ବିଭାଗ (ଡିପିଇ) ଏ ନେଇ ଏକ ମେମୋରେଣ୍ଡମ ଜାରି କରିଛନ୍ତି । ଏଥିରେ ୧.୧.୨୦୨୧ ଓ ୧.୪.୨୦୨୧ରେ ଦିଆଯିବାକୁ ଥିବା ମହଙ୍ଗା ଭତ୍ତାର ଅତିରିକ୍ତ କିସ୍ତି କର୍ମଚାରୀଙ୍କୁ ପୈଠ କରାଯିବ ନାହିଁ ବୋଲି ସୂଚିତ କରାଯାଇଛି । ତେବେ ଜାରି ହାରରେ ମହଙ୍ଗା ଭତ୍ତା କର୍ମଚାରୀ ଯେପରି ପାଉଛନ୍ତି ସେହିପରି ପାଇବେ ବୋଲି କୁହାଯାଇଛି । କରୋନା ସଂକଟ ଦେଶର ସରକାରୀ ରାଜସ୍ୱକୁ ଗୁରୁତର ପ୍ରଭାବିତ କରିଛି । ଏଣୁ କରୋନା ଲକଡାଉନ୍ କାଳରେ ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ନ ଦେବା ଲାଗି ନିଷ୍ପତ୍ତି ନେଇଥିଲେ । ଏଥିରେ ଜୁନ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବୃଦ୍ଧି କରାଯିବନି ବୋଲି ଘୋଷଣା ମଧ୍ୟ ହୋଇଥିଲା । ଏଣୁ କର୍ମଚାରୀ ଜୁନ ୨୦୨୧ ପରେ ଯାଇ ମହଙ୍ଗା ଭତ୍ତା ପାଇପାରନ୍ତି ବୋଲି ଆକଳନ କରାଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରାଳୟ ଗତ ଏପ୍ରିଲ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୧ ଲକ୍ଷ ପେନସନ୍ ଭୋଗୀଙ୍କ ଲାଗି ମହଙ୍ଗା ଭତ୍ତା ବୃଦ୍ଧି ଉପରେ ସରକାର ରୋକ ଲଗାଇଥିଲେ । ସେହିପରି ଡିପିଇ ୧ ଅକ୍ଟୋବର ୨୦୨୦ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଅବଧି ଲାଗି କୌଣସି ପ୍ରକାର ବକେୟା ମଧ୍ୟ ପ୍ରଦାନ କରିବେନି ବୋଲି କହିଥିଲେ ।

Leave A Reply

Your email address will not be published.