ବନ୍ଦ ହେଲା ୧୧ ସ୍କୁଲ, ସ୍ଥାନୀୟ ଲୋକଙ୍କ ପ୍ରତିବାଦ

0 70

ସାନଖେମୁଣ୍ଡି, ୨୨|୧୧ : ଛାତ୍ର ଛାତ୍ରୀଙ୍କ ଉପସ୍ଥାନ କମ୍ ଥିବା ଦର୍ଶାଇ ୧୧ ଗୋଟି ପ୍ରାଥମିକ  ବିଦ୍ୟାଳୟକୁ ଶିକ୍ଷା ବିଭାଗ ବନ୍ଦ କରିବା ସହ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି  । ଏ ନେଇ କେତେକ  ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସହ  ଅସନ୍ତୋଷ ସୃଷ୍ଟି ହୋଇଛି   । ଶିକ୍ଷା ବିଭାଗର ସ୍କୁଲ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରିବା  ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ପରେ ସାନଖେମୁଣ୍ଡି ବ୍ଲକର ୧୧ଗୋଟି  ବିଦ୍ୟାଳୟରେ ପିଲା ସଂଖ୍ୟା କମ୍ ଥିବାରୁ ବିଦ୍ୟାଳୟ ଗୁଡିକୁ  ବନ୍ଦ କରି ଦିଆଯାଇଛି ବୋଲି ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ପ୍ରକାଶ କରିଛନ୍ତି  ।  ବିଶେଷ କରି ଆଦିବାସୀ ଅଞ୍ଚଳରେ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି ହୋଇଛି । ବନ୍ଦ ହୋଇଥିବା ବିଦ୍ୟାଳୟର ପିଲାମାନଙ୍କୁ ନିକଟସ୍ଥ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇବା ପାଇଁ ପତ୍ର ମାଧ୍ୟମରେ ଶିକ୍ଷାଧିକାରୀ  ଜଣାଇଛନ୍ତି । ଉପାନ୍ତ ଆଦିବାସୀ ବହୁଳ ଇଲାକା ତପ୍ତପାଣି ଗୋବିନ୍ଦପୁର ପଞ୍ଚାୟତର ଚୋରେଇପାହାଡ଼  ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାଥମିକ ବିଦ୍ୟାଳୟକୁ ୩ କିମି ଦୂର ଦଶେଇପୁର ପିୟୁପିଏସରେ ମିଶ୍ରଣ କରାଯାଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିଭଳି କାଳିବୁରେଇ (ଜକରାପଲି)ଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ୨ କିମି ଦୂର ଟି. ଗୋବିନ୍ଦପୁର ପ୍ରାଥମିକ ସ୍କୁଲରେ ମିଶ୍ରଣ କରାଯାଇଛି । ଏହାସହ ଏସ ଗୋପାଳପୁର ପଞ୍ଚାୟତର ରାଣୀକୋଟ ପ୍ରାଥମିକ ସ୍କୁଲକୁ ପ୍ରତାପଗିରି ପିୟୁପିଏସରେ ସାମିଲ କଟାଯାଇଛି । କେଶପୁର ପ୍ରାଇମେରୀ ସ୍କୁଲକୁ ଗୁଡ଼ିଆପାଟଣା ସ୍କୁଲରେ ମିଶ୍ରଣ କରାଯାଇଛି । ଏକ ବ୍ୟତିକ୍ରମରେ ପଟିଗୁଡା ପଞ୍ଚାୟତର କୁଶପଲ୍ଲି ଓ ରଥପୁର ଆଦି ଦୁଇଟି ଗ୍ରାମର ପ୍ରାଥମିକ ସ୍କୁଲକୁ ଦୁଇ ଗାଁର ବହୁଦୂର କେଶପୁର ପିୟୁପିଏସରେ ସାମିଲ କରାଯାଇଥିବା ବେଳେ ରଥପୁର ଗାଁ ସ୍କୁଲରେ ଉପସ୍ଥାନ ଠିକ ଥିଲେ ମଧ୍ୟ ସ୍କୁଲ ସ୍ତାନାନ୍ତରକୁ ପ୍ରତିବାଦ କରାଯାଇ ଅଭିଯୋଗ ଦିଆଯାଇଛି ।  ଏତତ୍ ବ୍ୟତୀତ ଗୌତମୀ ପଞ୍ଚାୟତର ଦେଉଳପେଡ଼ି ଓ ସିପାହୀ ଆମ୍ବଠା ପ୍ରାଥମିକ ସ୍କୁଲକୁ ଗୌତମୀ ବାଳିକା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣର ପ୍ରତିବାଦ କରାଯାଇଛି । ତେବେ ଗୋଟିଏ ପିଲା ଥିଲେ ମଧ୍ୟ ସେଠାରେ ସ୍କୁଲ ଚାଲୁ ବୋଲି ସ୍ଥାନୀୟ  ବିଧାୟକ ରମେଶ ଚନ୍ଦ୍ର ଜେନା ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥି ଦିଗ ସହ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ମଧ୍ୟ ଦାବି ହେଉଛି ।

Leave A Reply

Your email address will not be published.