ମାଡ଼ିଆସୁଛି ଶୀତ

0 67

ନୂଆଦିଲ୍ଲୀ, ୨୨ ।୧୧: ଦେଶକୁ ଅନେକ ସମୟରୁ ଶୀତ ଋତୁର ଆଗମନ ହେଲାଣି । ତେବେ ଏପର୍ଯ୍ୟନ୍ତ ଶୀତ ଲହରୀ ଆରମ୍ଭ ହୋଇନଥିଲା । ପାର୍ବତ୍ୟାଞ୍ଚଳରେ ହିମପାତ ଯୋଗୁ ଏବେ ଏହାର ପ୍ରଭାବ ସମତଳ ଅଞ୍ଚଳ ଉପରେ ଅନୁଭୂତ ହେଲାଣି । ଉତ୍ତର ଭାରତରେ ତାପମାତ୍ରା କ୍ରମଶଃ ହ୍ରାସ ହେଉଥିବା ବେଳେ କେତେକ ସ୍ଥାନରେ ଶୀତ ଲହରୀ ଅନୁଭୂତ ହେଉଥିବାର ସୂଚନା ମିଳିଛି ।
ରବିବାର ରାଜଧାନୀ ଦିଲ୍ଲୀର ସର୍ବ ନିମ୍ନ ତାପମାତ୍ରା ୬.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ୨୦୦୩ ମସିହା ନଭେମ୍ବର ମାସର ତାପମାତ୍ରା ଠାରୁ ମଧ୍ୟ ପାରଦ ତଳକୁ ଖସିଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସମତଳ ଅଞ୍ଚଳ ଲାଗି ଶୀତ ଲହରୀ ସତର୍କତା ଜାରି କରିଛନ୍ତି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା ସାଧାରଣରୁ ସାଢେ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଆଇଏମଡି ସୂଚିତ କରିଛନ୍ତି । ମାଉଣ୍ଟ ଆବୁରେ ତାପମାତ୍ରା ଏବେ ୧ ଡିଗ୍ରି ସେଲସିୟସ୍କୁ ପହଞ୍ଚିଛି । ଯାହା ସର୍ବନିମ୍ନ ତାପମାତ୍ରା ବୋଲି କୁହାଯାଇଛି । ଶ୍ରୀନଗରରେ ଶନିବାର ରାତି ସବୁଠୁ ଥଣ୍ଡାରାତି ଥିଲା ବୋଲି ଆଇଏମଡିଙ୍କ ସୂଚନାରୁ ଜଣାପଡିଛି । ଏଠାରେ ପାରା ଶୁନ୍ୟରୁ ବିଯୁକ୍ତ ୩ ଡିଗ୍ରି ସେଲସିୟସ୍କୁ ହ୍ରାସ ହୋଇଛି । ଶୀତ ବଢିବା ସାଙ୍ଗକୁ ସଞ୍ଜ ନଇଁଲେ ରାସ୍ତାଘାଟରେ ଲୋକଙ୍କ ଗହଳଚହଳ ହ୍ରାସ ହୋଇଛି । ଶୀତରୁ ରକ୍ଷା ପାଇବା ଲାଗି ଲୋକେ ଏବେ ଘରେ ରହିବାକୁ ପସନ୍ଦ କରୁଛନ୍ତି । ବରଫାବୃତ୍ତ ପାହାଡରୁ ଥଣ୍ଡା ପବନ ବହୁଥିବାରୁ କ୍ରମଶଃ ଶୀତ ବଢିବ ବୋଲି ଆଶଙ୍କା କରାଯାଉଥିବା ବେଳେ ନିକଟ ଭବିଷ୍ୟତରେ ପାଗରେ ସେଭଳି କୌଣସି ପରିବର୍ତ୍ତନର ଆଶଙ୍କା ନଥିବା ଆଇଏମଡି କହିଛନ୍ତି ।

Leave A Reply

Your email address will not be published.