ମିଧାନୀ ଷ୍ଟିଲର ୧୦% ଅଂଶଧନ ବିକିବେ ସରକାର

0 76

ନୂଆଦିଲ୍ଲୀ, ୨୩ ।୧୧: କେନ୍ଦ୍ରସରକାର ପୁଣି ଏକ ସରକାରୀ ଉଦ୍ୟେଗରୁ ଅଂଶଧନ ବିକ୍ରି କରିବାକୁ ଯୋଜନା କରୁଥିବା ଜଣାପଡିଛି । ପ୍ରତିରକ୍ଷା ରାଷ୍ଟ୍ରାୟତ ଉଦ୍ୟେଗ ମିଶ୍ରଧାତୁ ନିଗମ ଲିମମେଟେଡ (ମିଧାନୀ) ରୁ ୧୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି । ଏହି ସରକାରୀ ଉଦ୍ୟେଗକୁ ପ୍ରଥମଥର ପାଇଁ ୨୦୧୮ ମସିହା ଏପ୍ରିଲ ମାସରେ ସେୟାର ବଜାରରେ ସୂଚୀଭୂକ୍ତ କରାଯାଇଥିଲା । ଏଥିରେ ୨୬ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ସରକାର ଏକ ଇନିସିଆଲ ପବ୍ଲିକ୍ ଅପରିଂ (ଆଇପିଓ) ଆଣିଥିଲେ । ଯାହାଦ୍ୱାରା ସରକାର ୪୩୮ କୋଟି ଟଙ୍କା ସଂଗ୍ରହ କରିଥିଲେ । କିଛିଦିନ ତଳେ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଅଟୋମେଟିକ୍ ରୁଟ୍ ବା ପ୍ରତ୍େୟକ୍ଷ ଭାବେ ୭୪ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ବା ଏଫ୍ଡିଆଇକୁ ମଞ୍ଜୁରୀ ଦେଇଥିଲେ । ଏଭଳି ସ୍ଥିତିରେ ମିଧାନୀର ଶେୟାର ନିବେଶକଙ୍କ ପାଇଁ ଲାଭଦାୟକ ହେବ ବୋଲି ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ମିଧାନୀ ଏକ ସ୍ୱତନ୍ତ୍ର ଷ୍ଟିଲ ପ୍ରସ୍ତୁତ କରୁଥିବା କାରଖାନା ଅଟେ । ମିଧାନୀରୁ ପ୍ରସ୍ତୁତ ହେଉଥିବା ଷ୍ଟିଲ ଆଣବିକ ଓ ମହାକାଶ ଗବେଷଣା କ୍ଷେତ୍ରରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶରେ ବ୍ୟବହାର କରାଯାଏ । ସରକାର ପୁଣି ଥରେ ଏହି କମ୍ପାନୀରୁ ୧୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି । ଚଳିତ ସପ୍ତାହରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଏହି କମ୍ପାନୀର ସେୟାର ମୂଲ୍ୟ ୧୯୩.୫୦ ଟଙ୍କାରେ ବନ୍ଦ ହୋଇଥିବା ନଜରକୁ ଆସିଥିଲା । ଏହି ମୂଲ୍ୟରେ ସରକାର ଯଦି ୧୦ ପ୍ରତିଶତ ଅଂଶଧନ ବିକ୍ରି କରନ୍ତି ତେବେ ରାଜକୋଷକୁ ୩୬୦ କୋଟି ଟଙ୍କା ଆସିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.