ବ୍ୟକ୍ତିଗତ ସ୍ୱାଧୀନତା ଓ ଇଚ୍ଛାନୁଯାୟୀ ସମ୍ପର୍କକୁ କୋର୍ଟଙ୍କ ଗୁରୁତ୍ୱ

0 68

ଲକ୍ଷେ୍ନø, ୨୪ ।୧୧: ଲଭ ଜିହାଦ ଓ ଭିନ୍ନ ଧର୍ମରେ ହେଉଥିବା ବାହାଘରକୁ ନେଇ ବିତର୍କ ଚାଲିଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ବଡ଼ ବୟାନ ଦେଇଛନ୍ତି । ଏଥିସହ ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ପରିବାର ରୁଜୁ କରିଥିବା ଏଫଆଇଆରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । ଗତବର୍ଷ ଏହି ବ୍ୟକ୍ତଙ୍କ ପତ୍ନୀ ହିନ୍ଦୁ ଧର୍ମ ଛାଡ଼ି ମୁସଲିମ ଧର୍ମ ଗ୍ରହଣ କରିଥିଲେ । ଏହା ବିରୋଧରେ ଝିଅ ଘର ଲୋକ ଏଫଆଇଆର କରିଥିଲେ । ହେଲେ କୋର୍ଟ ଆଜି ଏକ ଐତିହାସିକ ରାୟ କ୍ରମେ ଏଫଆଇଆରକୁ ଖାରଜ କରିଦେଇଛନ୍ତି । କୋର୍ଟ ଏହି ସମୟରେ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ନିଜ ଇଚ୍ଛା ଅନୁସାରେ ଚୟନ ଓ କାହା ସହ ସମ୍ପର୍କ ସ୍ଥାପନ କରିବାର ଅଧିକାର ସମ୍ବିଧାନ ଦେଇଛି । ଆମ ଯଦି ବ୍ୟକ୍ତିଗତ ସମ୍ପର୍କରେ ହସ୍ତକ୍ଷେପ କରିବୁ, ତା’ହେଲେ ଏହା ରାଇଟ୍ ଟୁ ଫ୍ରିଡମ ଅଫ ଚୟସର ବିରୋଧାଭାସ କରିବ । ଆମେ ପ୍ରିୟଙ୍କା ଖରୱାର ଓ ସଲାମତ ଅନସାରୀଙ୍କୁ ହିନ୍ଦୁ ଏବଂ ମୁସଲିମ ଭାବେ ବିବେଚନା କରୁନାହୁଁ, ସେମାନଙ୍କୁ ଆମେ ଦୁଇ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିବିଶେଷ ଭାବେ ବିଚାରକୁ ନେଇଛୁ । ପ୍ରାପ୍ତ ବୟସ୍କ ଭାବେ ସେମାନଙ୍କର ନିଜସ୍ୱ ଇଚ୍ଛା ଓ ଅଧିକାର ରହିଛି । ସେମାନେ ଦୀର୍ଘ ଗୋଟିଏ ବର୍ଷ ହେଲାଣି ପରସ୍ପରକୁ ବିବାହ କରି ବେଶ ଖୁସିର ଓ ଭଲରେ ରହିଛନ୍ତି । ଭାରତୀୟ ସମ୍ବିଧାନର ଧାରା ୨୧ ସମସ୍ତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ସ୍ୱାଧୀନତା ଓ ଜୀବନ ଧାରଣର କ୍ଷମତା ଦେଇଛି । ଏହାକୁ ସୁରକ୍ଷିତ ଭାବେ କାର୍ଯ୍ୟ କରିବାକୁ କୋର୍ଟ ଓ ସାମ୍ବିଧାନିକ ବେଞ୍ଚ ରହିଛି ବୋଲି ଆହ୍ଲାବାଦ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି । ଉତ୍ତରପ୍ରଦେଶ ଖୁସିନଗରର ସଲାମତ ଓ ପ୍ରିୟଙ୍କା ପରସ୍ପରକୁ ଭଲ ପାଉଥିଲେ । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ପରିବାର ଲୋକ ଏଥିରେ ରାଜି ହୋଇ ନଥିଲେ । ଶେଷରେ ଗତବର୍ଷ ଅଗଷ୍ଟରେ ଉଭୟେ ପରିବାର ଲୋକଙ୍କୁ ନ ଜଣାଇ ବିବାହ କରିଥିଲେ । ବାହାଘର ପୂର୍ବରୁ ପ୍ରିୟଙ୍କା ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ ନିଜ ନାଁକୁ ଆଲିଆ କରିଦେଇଥିଲେ । ଏହାକୁ ବିରୋଧ କରି ପ୍ରିୟଙ୍କାଙ୍କ ବାପାମା’ ପୁଲିସ୍ ନିକଟରେ ଅପହରଣ ଓ ଧର୍ମାନ୍ତୀକରଣ ସମ୍ପର୍କରେ ଏଫଆଇଆର ଦେଇଥିଲେ । ଏଥିସହ ସେମାନେ ପ୍ରିୟଙ୍କା ନାବାଳିକା ଥିବା କଥା ମଧ୍ୟ କହିଥିଲେ । ନଭେମ୍ବର ୧୧ରେ ଆହ୍ଲାବାଦ ହାଇକୋର୍ଟ ଏଫଆଇଆର ରଦ୍ଦ ପାଇଁ ସଲାମତ କରିଥିବା ଆବେଦନର ଶୁଣାଣି ଆହ୍ଲାବାଦ ହାଇକୋର୍ଟ କରିଥିଲେ । ହାଇକୋର୍ଟ ଉତ୍ତରପ୍ରଦେଶ ସରକାର ଓ ମହିଳାଙ୍କ ପରିବାର ଲୋକଙ୍କ ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି । କୋର୍ଟ କହିଛନ୍ତି, ବ୍ୟକ୍ତିଗତ ସ୍ୱାଧୀନତା ଆଧାରରେ ଜଣେ ବ୍ୟକ୍ତି ତାଙ୍କ ପସନ୍ଦର ଆଉ ଜଣେ ବ୍ୟକ୍ତିଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିପାରିବେ । ଏଥିରେ ଉଭୟଙ୍କ ସମର୍ଥନ ଥିଲେ, ଧର୍ମ, ଜାତି ଓ ବର୍ଣ୍ଣ କୌଣସି ଗୁରୁତ୍ୱ ରଖେନାହିଁ ।

Leave A Reply

Your email address will not be published.