ହାତୀ ଉପଦ୍ରବରେ ଫସଲ ନଷ୍ଟ: ଚିନ୍ତାରେ ଚାଷୀକୁଳ

0 71

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ ହିନ୍ଦୋଳ ବନାଂଚଳରେ ହାତୀମାନଙ୍କ ଉପଦ୍ରବ ଯୋଗୁ ଏବେ ଚାଷୀକୁଳ ଫସଲ ଅମଳ ପାଇଁ ମୁଣ୍ଡରେ ହାତଦେଇ ବସିଛି । ହାତୀମାନଙ୍କୁ ଘଉଡାଇବାରେ ବନବିଭାଗ ସମ୍ପୂର୍ଣ୍ଣରୂପେ ବିଫଳ ହୋଇପଡିଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲିଛି । ଢେଙ୍କାନାଳ ବନବିଭାଗରେ ନିୟୋଜିତ ହାତୀସ୍କ୍ୱାର୍ଡ କର୍ମଚାରୀ କି କାର୍ଯ୍ୟରେ ନିୟୋଜିତ ଅଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି । ରୁଣ କରି ଚାଷୀ ଫସଲ ଉତ୍ପାଦନ କରିଥିବା ବେଳେ ହାତୀମାନଙ୍କ ଏଭଳି ଉପଦ୍ରବ ଯୋଗୁ ଚାଷୀ ଫସଲ ଉତ୍ପାଦନ କରିନପାରି ଶେଷରେ ଆତ୍ମହତ୍ୟା କରିଥିବା÷÷ର ଘଟଣା ମଧ୍ୟ ନଜିର ରହିଛି । ପରଜଙ୍ଗ ଅଂଚଳରେ ହାତୀ ଉପଦ୍ରବ ପରେ ଏବେ ହିନ୍ଦୋଳ ବନାଂଚଳରେ ହାତୀମାନଙ୍କ ଆବିର୍ଭାବ ଓ ଫସଲ ନଷ୍ଟକୁ ନେଇ ଚାଷୀକୁଳ ଏବେ ଦିଗହରା ହୋଇପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଂଚଳର ହାତୁରା ପଂଚାୟତର ପଡା ଗ୍ରାମରେ । ଏହି ଅଂଚଳର ୯୦ ଭାଗ ଅଧିବାସୀ ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଚାଷରୁ ଉତ୍ପାଦିତ ଶସ୍ୟ ଯୋଗୁ ତାଙ୍କର ଜୀବନ ଜୀବିକା ମଧ୍ୟ ନିର୍ବାହ ହୋଇାଏ ।ଏବେ ୨୫ ବଣୁଆଁ ହାତୀପଲଙ୍କ ଉପଦ୍ରବ କରିବା ସହ ବିଲରେ ପଶି ଧାନଫସଲ ଦଳିଚକଟି ବିଲରେ ତାଣ୍ଡବ ରଚାଇଛନ୍ତି । ପଡା ଗ୍ରାମର ୧୫୦ରୁ ଉଦ୍ଧ୍ୱ ଚାଷୀଙ୍କର ଏକର ଏକର ଧାନ ଫସଲକୁ ହାତୀପଲ ଦଳିଚକଟି ନଷ୍ଟ କରିଦେଇଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀମାନେ ବନବିଭାଗର ଦୃଷ୍ଟି ଆକର୍ଷଣ କରିଥଲେ ମଧ୍ୟ ବନବିଭାଗ ଗୁରୁତ୍ୱ ନଦେବାକୁ ନେଇ ଚାଷୀମହଲରେ ଅସନ୍ତୋଷ ଦେଖାଦେଇଛି । ବନବିଭାଗର ଅବହେଳା ଯୋଗୁ ୧୫୦ରୁ ଉଦ୍ଧ୍ୱର୍ ଚାଷୀଙ୍କର ଏକର ଏକର ଧାନଫସଲ ଉଜୁଡି ଯାଇଥିବାର କ୍ଷତିଗ୍ରସ୍ତ ଚାଷୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଂଚ ନିରାକାର ପ୍ରଧାନ ବନବିଭାଗ ସ୍ୱତନ୍ତ୍ର ଭାବେ ଏହି ଅଂଚଳ ପରିଦର୍ଶନ କରି ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି । ଅନ୍ୟପଟେ ସରକାର ହାତୀ ଘଉଡାଇବା ପାଇଁ ହାତୀସ୍କ୍ୱାର୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବନ କର୍ମଚାରୀମାନେ ହାତୀ ଘଉଡାଇବା ବଦଳରେ ହାତୀର ଗତିପଥ ସମ୍ପର୍କରେ ମଧ୍ୟ ସୂଚନା ପାଇବାରେ ବିଫଳ ହୋଇପଡିଛନ୍ତି ।ହାତୀ ଘଉଡାଇବାରେ ବିଫଳ ଢେଙ୍କାନାଳ ବନବିଭାଗ ଘୋର ନିଦ୍ରାରେ ଶୋଇ ରହିଛି । ଚଳିତ ବର୍ଷ କରୋନା ମହାମାରୀରେ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବେ ଧାର ଉଧାର କରି ଚାଷ କରିଥିବା ଚାଷୀ ତାର ପରିବାର ମୁହଁରେ ଦାନା ଗଣ୍ଡାଏ ଦେବାକୁ ଚିନ୍ତାଗ୍ରସ୍ତ ହୋଇପଡିଛି । ହାତୀ ଉପଦ୍ରବ ଯୋଗୁ ଶୀତକାକରରେ ଚାଷୀ ଅନିଦ୍ରା ରହି ହାତୀଙ୍କ ଦାଉରୁ ନିଜ ଚାଷଜମିକୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବନବିଭାଗର କାର୍ଯ୍ୟକୁ ନେଇ ଘୋର ଅସନ୍ତୋଷ ଦେଖାଦେଇଛି । ତୂରନ୍ତ ଜିଲ୍ଲା ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀମାନଙ୍କର ଉପଯୁକ୍ତ କ୍ଷତିପୂରଣ ଭରଣା କରିବା ପାଇଁ ଚାଷୀମହଲରୁ ଦୃଢ ଦାବୀ ହୋଇଛି ।

Leave A Reply

Your email address will not be published.