ଦୁଷ୍କର୍ମକାରୀ ସାବ୍ୟସ୍ତ ହେଲେ ନଂପୁସକ କରିଦିଆଯିବ

0 73

ଇସଲାମାବାଦ: ମହିଳା ବିରୋଧୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡକୁ ରୋକିବା ପାଇଁ ଅନେକ କଡ଼ା ଆଇନ ପ୍ରଣୟନ କରାଯାଇଛି । କିଛି ଦେଶରେ ଦୁଷ୍କର୍ମକାରୀଙ୍କୁ ଗୁଳି କରି ଦିଆଯାଉଛି ତ ଆଉ କିଛି ସ୍ଥାନରେ ସେମାନଙ୍କ ଗୁପ୍ତାଙ୍ଗକୁ କାଟି ଦିଆଯାଉଛି । ଏହିକ୍ରମରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବାକୁ ପାକିସ୍ତାନ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଣିକି ପାକିସ୍ତାନରେ ଦୁଷ୍କର୍ମକରି ଦୋଷୀ ସାବ୍ୟସ୍ତ ହେଉଥିବା ଲୋକଙ୍କୁ ନପୁଂସକ କରାଯିବ । ଏ ସଂକ୍ରାନ୍ତରେ ଏକ ଅଧ୍ୟାଦେଶ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋହର ମାରିଛନ୍ତି । ନୂଆ ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହେବ, ତା’ହେଲେ ତା’କୁ ସର୍ଜରୀ କିମ୍ବା କେମିକାଲ ଦ୍ୱାରା ନପୁଂସକ କରିଦିଆଯିବ । ଏହି ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ପାକିସ୍ତାନରେ ଫେଡରାଲ କ୍ୟାବିନେଟ ମିଟିଂ ବସିଥିଲା । ବୈଠକରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଆଣ୍ଟି-ରେପ ଅଧ୍ୟାଦେଶ ଆଗତ କରାଯାଇଥିଲା । ଅଧ୍ୟାଦେଶ ଉପରେ ଆଲୋଚନା କରାଯିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାକୁ ସବୁଜ ସଙ୍କେତ ଦେଇଛନ୍ତି । ଅଧ୍ୟାଦେଶରେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପାଷ୍ଟଟ୍ରାକ ଉପାୟରେ ଦୁଷ୍କର୍ମ ମାମଲାର ବିଚାର କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଦୁଷ୍କର୍ମ ପୀଡ଼ିତା ବିନା ଭୟରେ ତାଙ୍କ ସହ ହୋଇଥିବା ଜଘନ୍ୟକାଣ୍ଡ ସମ୍ପର୍କରେ ଅଭିଯୋଗ କରିପାରିବେ । ସେମାନଙ୍କ ସୁରକ୍ଷା ଦାୟିତ୍ୱ ସରକାର ନିଜେ ନେବେ ଓ ସେମାନଙ୍କ ପରିଚୟକୁ ସଂପୂର୍ଣ୍ଣ ଭାବେ ଗୋପନ ରଖାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୈଠକ ବେଳେ କିଛି ମନ୍ତ୍ରୀ ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ନଂପୁସକରୁ କାମ ଆରମ୍ଭ ହେଉ ବୋଲି ମତ ଦେଇଥିଲେ । କ୍ୟାବିନେଟ୍ରେ ନପୁଂସକ ପ୍ରସ୍ତାବ ପାରିତ ହୋଇଥିବାରୁ ଏହାକୁ ଖୁବଶୀଘ୍ର ସଂସଦରେ ଉପସ୍ଥାପନ କରି ଆଇନରେ ପରିଣତ କରାଯିବ । ପାକିସ୍ତାନ ପ୍ରଥମ ଦେଶ ଭାବେ ଏଭଳି କଠୋର ଦଣ୍ଡବିଧାନ କରି ନାହିଁ । ଏହା ପୂର୍ବରୁ ଅନେକ ଏମିତି ଦେଶ ରହିଛନ୍ତି, ଯେଉଁଠାରେ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦିଆଯାଇ ଥାଏ । ଉତ୍ତର କୋରିଆରେ ଦୁଷ୍କର୍ମକାରୀଙ୍କୁ ସର୍ବସମ୍ମୁଖରେ ମୁଣ୍ଡକୁ ଗୁଳି କରି ହତ୍ୟା କରାଯିବାର ଆଇନ ରହିଛି । ସେହିପରି ସାଉଦି ଆରବରେ ସବୁଠାରୁ କଡ଼ା ଆଇନ ଲାଗୁ କରାଯାଇଛି । ଏଠାରେ ପ୍ରଚଳିତ ଇସଲାମିକ ଆଇନ ସରିୟା ଅନୁସାରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦିଆଯାଇଥାଏ । ଯଦି ଏଠାରେ କେହି କୌଣସି ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୁଏ, ତା’ହେଲେ ତା’କୁ ଫାଶୀ ଠାରୁ ଆରମ୍ଭ କରି ମୁଣ୍ଡ କାଟ ଓ ଗୁପ୍ତାଙ୍ଗ କାଟିବାର ଦଣ୍ଡ ଦିଆଯାଏ । ପୋଲାଣ୍ଡରେ ବି ଦୁଷ୍କର୍ମକାରୀକୁ ନୁପୁଂସକ କରିବାର ବ୍ୟବସ୍ଥା ରହିଛି । ଇରାକରେ କେହି ଦୁଷ୍କର୍ମ କଲେ, ତା’କୁ ସର୍ବସମ୍ମୁଖରେ ଟାଙ୍ଗି ଦିଆଯାଏ । ଏହାପରେ ଲୋକମାନେ ତା’କୁ ପଥର ମାରିମାରି ହତ୍ୟା କରନ୍ତି ।

Leave A Reply

Your email address will not be published.