“ନିଭାର’ ତାଣ୍ଡବ

0 75

୩ ମୃତ, ୪ ଜିଲ୍ଲାରେ ୫ ଦିନ ଶିକ୍ଷାନୁଷ୍ଠାନ ଛୁଟି

ହାଇଦ୍ରାବାଦ ୨୬ ।୧୧: ଉପକୂଳକୁ ପ୍ରବେଶ କରିବା ପରେବି ଶାନ୍ତ ହୋଇନି ଘୂର୍ଣ୍ଣିବାତ୍ୟା “ନିଭାର’ । ଦକ୍ଷିଣ ଆନ୍ଧ୍ର ଉପକୂଳ ଓ ରୟାଲସୀମା ଜିଲ୍ଲାରେ ଗୁରୁବାର ତାଣ୍ଡବ ରଚିଛି ବାତ୍ୟା । ଝଡ଼ ସାଙ୍ଗକୁ ବର୍ଷା ଯୋଗୁ ଆନ୍ଧ୍ରପ୍ରଦେଶରେ ଶହଶହ ଲୋକେ ବାସହରା ହୋଇପଡିଛନ୍ତି । ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀସ୍ତରୀୟ ସୂଚନା ଦିଆଯାଇଛି । ସାମ୍ଭବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେ‡ୀ ଗୁରୁବାର ଜରୁରି ବୈଠକ କରିଥିବା ବେଳେ ନେଲୋର, ଚିତୁର, କଡପ୍ପା ଓ ଅନନ୍ତପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ଅଧିକାରୀ ନିଭାର ଯୋଗୁ ଇରପେଡୁ, ଶ୍ରୀକଳାହସ୍ତୀ, ଚିତୁରର ସତ୍ୟଭେଡୁ ଓ ସମଗ୍ର ନେଲୋର ଜିଲ୍ଲାରେ ବର୍ଷା ଲାଗି ରହିଥିବା କହିଛନ୍ତି । ନେଲୋର ଜିଲ୍ଲାରେ ବିଦ୍ୟୁତ ଆଘାତରେ ଜନୈକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ସୂଚିତ କରିଥିବା ବେଳେ ଚିତୁରର ରେନିନଗୁଣ୍ଟା ନିକଟସ୍ଥ ମାଲେମାଡୁଗୁରେ ଜଣେ ଚାଷୀ ଭାସିଯାଇ ନିଖୋଜ ଥିବା ସୂଚିତ କରାଯାଇଛି । ୩ ଜଣ ଚାଷୀ ଏକ ଜୋର ସେପଟେ ଫଶି ରହିଥିବା ବେଳେ ଏନଡିଆରଏଫ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିପାରିଛନ୍ତି । ଜଣେ ଭାସିଯାଇ ନିଖୋଜ ଅଛନ୍ତି । ଘୂର୍ଣ୍ଣିବାତ୍ୟା ନିଭାର ତାମିଲନାଡୁ କରାଇକାଲ ଓ ପୁଡୁଚେରୀର ମାମଲ୍ଲାପୁରମ ଦେଇ ଭୂ-ଭାଗକୁ ପ୍ରବେଶ କରିବା ପରେ ବିତ୍ପାତ ରଚିଛି । ତାମିଲନାଡୁ ସଲଗ୍ନ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ନେଲୋରରେ ବୁଧବା ରାତିରୁ ଝଡତୋଫାନ ସହ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଫଳରେ ବିସ୍ତିର୍ଣ୍ଣ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି । ବର୍ଷାଯୋଗୁ ବନ୍ୟା ଆସିବାରୁ ଭେଙ୍କଟଗିରି ଓ ରାପୁରୁ ସହରକୁ ସଂଯୋଗ କରୁଥିବା ଏକ ପୋଲ ଭାସିଯାଇଛି । ଫଳରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଯାନବାହନ ଭିନ୍ନ ମାର୍ଗ ଦେଇ ଚଳାଚଳ କରାଯାଉଛି । ତିରୁପତିତିରୁମାଲା ଘାଟ ରୋଡରେ ବର୍ଷା ଯୋଗୁ ଭୂ-ସ୍ଖଳନ ହୋଇଛି । ସେହିପରି ବଡବଡ ଗଛ ଉପୁଡି ରାସ୍ତା ଅବରୋଧ କରିଥିବା ସୂଚନା ମିଳୁଛି । ମନ୍ଦିର ସହର ତିରୁମାଲାରେ ଏକ କମ୍ୟୁନିଟି ସେଣ୍ଟରର କାନ୍ଥ ଭୂଷୁଡି ପଡିବାରୁ ୨ଟି ବାଇକ୍ ଭାଙ୍ଗିରୁଜି ଯାଇଛି । କୁରୁନୁଲ ଜିଲ୍ଲା ନାନ୍ଦିୟାଲରେ କୁଣ୍ଡୁନଦୀରେ ବନ୍ୟାଜଳ ପ୍ରବାହୀତ ହେଉଛି । ଏଣୁ ଖରିଫ ଚାଷ ପ୍ରଭାବିତ ହୋଇଥିବାର ଆଶଙ୍କା କରାଯାଉଛି । ଝଡ ଓ ବର୍ଷା ଥମିବା ପରେ ଚାଷ ଜନିତ କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.