‘ନିଜ ଇଚ୍ଛାରେ ଅନ୍ୟ ସହ ରହିପାରିବେ ମହିଳା’

0 69

ନୂଆଦିଲ୍ଲୀ: ଜଣେ ପ୍ରାପ୍ତ ବୟସ୍କ ମହିଳା ବା ଯୁବତୀ ନିଜ ଇଚ୍ଛା ଅନୁସାରେ ଯେକୌଣସି ଲୋକ ସହ ଓ ଯେକୌଣସି ସ୍ଥାନରେ ରହିପାରିବେ । ଏଥିରେ କେହି ବି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ୨୦ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଅନୁମତି ଦେବା ବେଳେ କୋର୍ଟ ଏଭଳି କଥା କହିଛନ୍ତି । ସାରା ଦେଶରେ ଏବେ ଲଭ ଜିହାଦ ଓ ଅନ୍ୟ ଧର୍ମରେ ବିବାହକୁ ନେଇ ବିତର୍କ ଚାଲିଛି । ବ୍ୟକ୍ତିଗତ ସ୍ୱାଧୀନତା ଓ ଅଧିକାର ଅନୁଯାୟୀ, ଜଣେ ପ୍ରାପ୍ତ ବୟସ୍କ ନିଜ ଇଚ୍ଛାରେ କ’ଣ ବିବାହ କରିପାରିବନି, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି । ଏସବୁ ଭିତରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ବିପିନ ସଂଘାଇ ଓ ଜଷ୍ଟିସ ରଜନୀଶ ଭଟ୍ଟନାଗର ସୁଲେଖା ନାମକ ଜଣେ ମହିଳାଙ୍କ ଆବେଦନର ଶୁଣାଣି କରିଥିଲେ । ସୁଲେଖା ତାଙ୍କ ପରିବାର ଲୋକଙ୍କ ବିନା ଅନୁମତିରେ ବାବୋଲ ନାମକ ଜଣେ ବ୍ୟକ୍ତିଙ୍କ ସହ ରହୁଛନ୍ତି । ହେଲେ ଏହାକୁ ସୁଲେଖାଙ୍କ ପରିବାର ଲୋକ ବିରୋଧ କରିବା ସହ ବାବୋଲଙ୍କ ନାଁରେ ଅପହରଣ ଅଭିଯୋଗ ଆଣିଥିଲେ । ଏପରି କି ପରିବାର ଲୋକ ସୁଲେଖାଙ୍କୁ ନାବାଳିକା ବୋଲି ଦର୍ଶାଇଥିଲେ । ଶୁଣାଣି ବେଳେ ଖଣ୍ଡପୀଠ ସୁଲେଖାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଆଲୋଚନାରୁ ସ୍ପଷ୍ଟ ହୋଇଥିଲା ଯେ ସୁଲେଖା ଘର ଛାଡ଼ିବା ବେଳେ ପ୍ରାପ୍ତ ବୟସ୍କ ଥିଲେ । ତେଣୁ କୋର୍ଟ ପୁଲିସ୍ ଏସକର୍ଟ ସହ ତାଙ୍କୁ ବାବୋଲଙ୍କ ଘରକୁ ପଠାଇଛନ୍ତି । କୋର୍ଟ ଆହୁରି କହିଛନ୍ତି, ପୁଲିସ୍ ଏକେ ପିଟିସନରଙ୍କୁ କାଉନସିଲିଂ କରୁ ଓ ସୁଲେଖାଙ୍କ ପରିବାର ଯେମିତି ଆଇନକୁ ହାତକୁ ନ ନେବେ ତା’ର ମଧ୍ୟ ବ୍ୟବସ୍ଥା କରୁ । ସେହିପରି ସୁଲେଖା କିମ୍ୱା ବାବୋଲଙ୍କୁ ପରିବାର ଲୋକ ଧମକ ଦେବେ ନାହିଁ । ସୁଲେଖା ଘର ଛାଡ଼ି ବାବୋଲଙ୍କ ସହ ଯିବା ବେଳେ ପ୍ରାପ୍ତ ବୟସ୍କ ହୋଇଯାଇଥିଲେ । ସେ ତାଙ୍କ ଇଚ୍ଛା ଅନୁସାରେ ବିବାହ କରିଛନ୍ତି । ଷ୍ଟାଟସ ରିପୋର୍ଟ ଅନୁଯାୟୀ, ତାଙ୍କର ଜନ୍ମ ୨୦୦୦ ମସିହାରେ ହୋଇଛି । ତେଣୁ ସେ ଆଡଲ୍ଟ । ଜଣେ ପ୍ରାପ୍ତ ବୟସ୍କ ମହିଳା, ତାଙ୍କ ପସନ୍ଦ ଅନୁସାରେ ଯେଉଁଠି ଇଚ୍ଛା ରହିପାରିବେ ଓ ଯାହାକୁ ଇଚ୍ଛା ବିବାହ କରିପାରିବେ । ଏଥିରେ କେହି ବି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । କିଛି ଦିନ ତଳେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଅନ୍ୟ ଧର୍ମରେ ବିବାହ ମାମଲାର ଶୁଣାଣି କରି ସମାନ ରାୟ ଦେଇଥିଲା । ଜଣେ ହିନ୍ଦୁ ଝିଅ ନିଜ ଇଚ୍ଛାରେ ମୁସଲିମ ପୁଅକୁ ବିବାହ କରିଥିଲେ । ହେଲେ ଝିଅ ଘର ଲୋକ ମୁସଲିମ ଯୁବକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ । କିନ୍ତୁ ଆହ୍ଲାବାଦ ହାଇକୋର୍ଟ ଏଫଆଇଆର ଖାରଜ କରି ରାଇଟ ଟୁ ଫ୍ରିଡମ ଅଫ ଚୟସ କଥା କହିଥିଲେ । ଏହାର ଅର୍ଥ ଜଣେ ପ୍ରାପ୍ତ ବୟସ ଯେ କୌଣସି ଧର୍ମ ଓ ଜାତିର ହୋଇଥିଲେ ହେଁ ନିଜ ଇଚ୍ଛା ଅନୁସାରେ ବିବାହ କରିପାରିବ ।

Leave A Reply

Your email address will not be published.