ଜାମ୍ମୁ-କାଶ୍ମୀର ପୁନର୍ଗଠନ ପରେ ପ୍ରଥମ ନିର୍ବାଚନ

0 69

ଶ୍ରୀନଗର ୨୮ ।୧୧: ଜାମ୍ମୁ-କାଶ୍ମୀରରେ ଶନିବାର ଡିଡିସିର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ମତଦାତାଙ୍କ ଉତ୍ସାହ ଚରମରେ ରହିଛି । ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ପୁର୍ନଗଠନ ପରେ ଏଠାରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହେଉଛି । ଗୋଟିଏ ବର୍ଷରୁ ଅଧିକ ସମୟ ଭିତରେ ଉପତ୍ୟକାରେ ପ୍ରଥମ ଗଣତାନ୍ତ୍ରିକ ଉତ୍ସବ ପାଳନ ହୋଇଛି । ସ୍ଥାନୀୟ ନିର୍ବାଚନରେ ଅନେକ ସମୁଦାୟର ଲୋକ ପ୍ରଥମ ଥର ଭୋଟ୍ ଦେଇଛନ୍ତି । ଏଥିରେ ପଶ୍ଚିମ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ବାଲ୍ମିକୀ, ଗୋରଖା ସମୁଦାୟର ଲୋକ ସାମିଲ । ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ୭୦ ବର୍ଷରେ ପ୍ରଥମ ଥର ଏହି ସମୁଦାୟର ଲୋକଙ୍କୁ ସ୍ଥାନୀୟ ନିର୍ବାଚନରେ ଭୋଟ୍ ଦେବାର ସୁଯୋଗ ମିଳିଛି । ଏହି ଲୋକ ବର୍ତ୍ତମାନ କେବଳ ଜାମ୍ମୁ-କାଶ୍ମୀରରେ ଭୋଟ୍ ଦେବେ ନାହିଁ ବରଂ ରାଜ୍ୟରେ ଜମି କିଣିବା ସହିତ ଚାକିରି ପାଇଁ ମଧ୍ୟ ଆବେଦନ କରି ପାରିବେ । ଗତ ବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ । ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖରେ ବିଭକ୍ତ କରାଯାଇଥିଲା । ସ୍ଥାନୀୟ ନିର୍ବାଚନରେ ପ୍ରଥମଥର ମତଦାନ କରିଥିବା ମତଦାତାମାନେ ଖୁସିବ୍ୟକ୍ତ କରି କହିଛନ୍ତି, ଆମକୁ ନ୍ୟାୟ ମିଳିଛି । ସମାନତା ଓ ସ୍ୱାଧୀନତା ପରି ଶବ୍ଦ ଆମେ କେବଳ ଶୁଣିଥିଲୁ ମାତ୍ର, ପ୍ରଥମ ଥର ଆମେ ଏହାକୁ ଅନୁଭବ କରୁଛୁ । ପଶ୍ଚିମୀ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ ସୁଜାତି ଭାରତୀ କହିଛନ୍ତି, ସେ ବର୍ତ୍ତମାନ ନିଜକୁ ସ୍ୱାଧୀନତା ଅନୁଭବ କରୁଛନ୍ତି, କାରଣ ସେ ସ୍ଥାନୀୟ ଲୋକଙ୍କ ସହିତ ଭୋଟ୍ ଦେବାକୁ ଧାଡିରେ ଛିଡା ହୋଇଥିଲେ । ସାତ ଦଶନ୍ଧିର ଲମ୍ବା ସଂଘର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି । ଏହି ସଂପ୍ରଦାୟରୁ ଆସିଥିବା ବିଶନ ଦାସ କହିଛନ୍ତି, ସେ ଅତୀତକୁ ଆଉ ମନେ ପକାଇବାକୁ ଚାହୁଁନାହାନ୍ତି । ଏହା ପରିବର୍ତ୍ତେ ସେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆଶାନ୍ୱିତ ରହିଛନ୍ତି । ଏବେ ଆମେ ସଶକ୍ତ ଅନୁଭବ କରୁଛୁ । ପୂର୍ବେ ଆମ ପାଖକୁ କେହି ଭୋଟ୍ ମାଗିବାକୁ ଆସୁନଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତ ପ୍ରାର୍ଥୀ ଆମ ଦ୍ୱାରା ବାଡେଇଛନ୍ତି ଏବଂ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ବିଭାଜନ ସମୟରେ ପଶ୍ଚିମ ପାକିସ୍ତାନରୁ ଆସିଥିବା ଅଧିକାଂଶ ବିସ୍ଥାପିତ ଶରଣାର୍ଥୀ ଆରଏସ ପୂରା, ଅଖନୁର, ସାମ୍ବା, ହୀରାନଗର ଓ ଜାମ୍ମୁରେ ବାସ କରୁଛନ୍ତି । ସଂପ୍ରତି ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଦେଢ ଲକ୍ଷରୁ ଅଧିକ ଶରଣାର୍ଥୀ ରହୁଛନ୍ତି ।

Leave A Reply

Your email address will not be published.