କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା

0 80

ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣାକୁ ନେଇ ବିଏମ୍‌ସିକୁ କଡ଼ା ସମାଲୋଚନା କରିଛନ୍ତି ବମ୍ବେ ହାଇକୋର୍ଟ । କଙ୍ଗନାଙ୍କ ଘର ଭାଙ୍ଗିବା ବିଏମ୍‌ସିର ପ୍ରତିଶୋଧ ଛଡ଼ା ଅନ୍ୟ କିଛି ନୁହେଁ । ପାଲହିଲ ସ୍ଥିତ କଙ୍ଗନାଙ୍କ ଅଫିସକୁ ବିଏମ୍‌ସି ଯେଉଁପରି ଭାବେ ଭାଙ୍ଗିଛି ତାହା ବେଆଇନ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ଭଙ୍ଗାରୁଜାର ମୂଲ୍ୟାୟନ କରି ଏକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି । ରିପୋର୍ଟ ମିଳିବା ପରେ କେତେ  କ୍ଷତିପୂରଣ କଙ୍ଗନାଙ୍କୁ ମିଳିବ,ସେ ନେଇ ନିର୍ଦ୍ଦେଶ ଦେବେ ବମ୍ବେ ହାଇକୋର୍ଟ । ମୁମ୍ବାଇ ପାଲହିଲ୍ସରେ ଥିବା କଙ୍ଗନାଙ୍କ ବାସଭବନର କିଛି ଅଂଶ ସେପ୍ଟେମ୍ବର ୯ ତାରିଖରେ ଭାଙ୍ଗି ଦେଇଥିଲା ବିଏମ୍‌ସି। ଜବର ଦଖଲ ଓ ନିୟମ ଉଲ୍ଲଂଘନ କରି ଘର ତିଆରି କରାଯାଇଥିବା କହି ଏହି ପଦକ୍ଷେପ ନେଇଥିଲା ବିଏମ୍‌ସି। ଏହା ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ବେଆଇନ ଭାବେ ତାଙ୍କ ଘର ଭଙ୍ଗାଯାଇଥିବା ଅଭିଯୋଗ କରି ସେ ୨ କୋଟି ଟଙ୍କାର କ୍ଷତିପୂରଣ ମାଗିଥିଲେ । ଏହାର ଶୁଣାଣି କରି ବିଚାରପତି ଜଷ୍ଟିସ ଏସଜେ କଥୱାଲା ଓ ଜଷ୍ଟିସ ରିୟାଜ ଛଗଲାଙ୍କ ଖଣ୍ଡପୀଠ  ବିଏମସିକୁ ଭର୍ତ୍ସନା କରିଛନ୍ତି ବମ୍ବେ ହାଇକୋର୍ଟ । କହିଛନ୍ତି, ନାଗରିକଙ୍କ ଅଧିକାର ଉପରେ ଅନୁଚିତ ଭାବେ ପଦକ୍ଷେପ ନିଆଯାଇଛି । କୌଣସି ବ୍ୟକ୍ତିଙ୍କ ଉପରେ ସରକାରଙ୍କ ବଳ ପ୍ରୟୋଗ ଠିକ୍ ନୁହେଁ । ଯେହେତୁ ଉଚ୍ଛେଦ ବେଆଇନ, ତେଣୁ ଆବେଦନକାରୀ ମଧ୍ୟ କ୍ଷତିପୂରଣ ପାଇବାକୁ ଯୋଗ୍ୟ।  ଆସନ୍ତା ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କୋର୍ଟ କହିଛନ୍ତି। ଏହା ସହିତ ଦେଖି ଚାହିଁ ଶାଳୀନତାର ସହିତ ମନ୍ତବ୍ୟ ଦେବା ପାଇଁ କଙ୍ଗନାଙ୍କୁ ବମ୍ବେ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.