ଚାଷୀଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଲା

0 74

ନୂଆଦିଲ୍ଲୀ, ୨୯ ।୧୧: ରାଜଧାନୀରେ ଚାଷୀଙ୍କୁ ଆନ୍ଦୋଳନ ଅନୁମତି ମଧ୍ୟ ଦେଇଛନ୍ତି ସରକାର । ହେଲେ ସରକାର ଯେଉଁଠି ସେମାନଙ୍କୁ ଆନ୍ଦୋଳନ ଲାଗି ସ୍ଥାନ ଚିହ୍ନିତ କରିଛନ୍ତି ଚାଷୀ ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି । ଓଲଟି ସେମାନେ ଚାହୁଁଥିବା ସ୍ଥାନକୁ ଅନ୍ୟ ଚାଷୀଙ୍କୁ ଡକାଉଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚାଷୀଙ୍କୁ ବୁରାଡିରେ ଏକତ୍ରିତ ହେବାକୁ କହିଛନ୍ତି । ସବୁ ଚାଷୀ ଏକତ୍ରିତ ହେବା ପରେ ସେମାନଙ୍କ ସହ ଆଲୋଚନା କରାଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି । ତେବେ ଚାଷୀମାନେ ଦିଲ୍ଲୀ ଘେରାଉ କରିବାକୁ ଆସିଥିବା କହିଛନ୍ତି, ଦିଲ୍ଲୀରେ ଘେରାଉ ହେବାକୁ ନୁହେଁ ବୋଲି କହିବା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ଚାଷୀ ଏବେ ଦିଲ୍ଲୀ ପୋଲିସକୁ ଚତୁପାଶ୍ୱର୍୍ରୁ ଘେରିଯାଇଥିବା ଜଣାପଡିଛି । ସିଂଘୁ ବର୍ଡରରେ ସୁରକ୍ଷା ବାହିନୀ ଦୁଇ ପାର୍ଶ୍ୱରୁ ଘେରିଯାଇଛନ୍ତି । ତରଣତାରଣ ଓ ଅମୃତସରରୁ ଟ୍ରାକ୍ଟରରେ ଆସୁଥିବା ଚାଷୀଙ୍କ ନୂଆ ରାଲି ଏବେ ସିଧା ଦିଲ୍ଲୀ ଭିତରକୁ ପ୍ରବେଶ କରୁଛନ୍ତି । ହଜାର ହଜାର ଟ୍ରଲି ଲଗା ଟ୍ରାକ୍ଟର ଏବେ କାନଅତଡା ପକାଉଛନ୍ତି । ଏଣୁ ସୁରକ୍ଷା ବାହିନୀ ଚାଷୀଙ୍କ ମଧ୍ୟରେ ଫଶି ରହିଛନ୍ତି । ସେପଟେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଲୋଚନା ଲାଗି ଚାଷୀଙ୍କୁ ଦ୍ୱିତୀୟବାର ଆମନ୍ତ୍ରଣ କରିଛନ୍ତି । ୩ ଡିସେମ୍ବର ପୂର୍ବରୁ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ଏଥିପାଇଁ ସେ ପଞ୍ଜାବର ୩୨ଟି ଚାଷୀ ସଙ୍ଗଠନଙ୍କୁ ବୁରାଡି ଡକାଇଛନ୍ତି । ସେମାନେ ଯେତେ ଶୀଘ୍ର ବୁରାଡି ପହଞ୍ଚିବେ ସେତେଶୀଘ୍ର ଆଲୋଚନା ଆରମ୍ଭ ହେବ ବୋଲି ଅଜୟ ଭଲ୍ଲା କହିଛନ୍ତି । ତେବେ ଚାଷୀଙ୍କ ଅଲ ଇଣ୍ଡିଆ କିସାନ କୋ-ଅର୍ଡିନେସନ କମିଟି ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିଦେଇଥିବା ଜଣାପଡିଛି । ଯଦି ସରକାର ଚାଷୀଙ୍କ ଦାବିକୁ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି ତେବେ ପ୍ରଥମେ ସର୍ତ୍ତ ରଖିବା ବନ୍ଦ କରନ୍ତୁ ବୋଲି କମିଟି କହିଛି । ସରକାର ଏବେ ଆଉ ତାଙ୍କ ଆଇନର ତରଫଦାରୀ ନ କରି ସମାଧାନର ସହିତ ଚାଷୀଙ୍କ ସାମ୍ନାକୁ ଆସନ୍ତୁ ବୋଲି କହିଛି କମିଟି । ଦିଲ୍ଲୀ ଆପ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍େୟନ୍ଦ୍ର ଜୈନ ମଧ୍ୟ ଚାଷୀଙ୍କୁ ସମର୍ଥନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପାଖରେ ଚାଷୀଙ୍କ ସହ ନିସର୍ତ୍ତ ଆଲୋଚନା ବ୍ୟତୀତ ଅନ୍ୟ ପନ୍ଥା ନଥିବା ସେ କହିଛନ୍ତି । ଚାଷୀ ଆମର ଅନ୍ନଦାତା ସେ ଯେଉଁଠାରେ ଚାହୁଁଛନ୍ତି ସେଠାରେ ତାଙ୍କୁ ବସାଇ ସରକାର ତୁରନ୍ତ ଆଲୋଚନା ଆରମ୍ଭ କରନ୍ତୁ ବୋଲି ଦିଲ୍ଲୀ ସ୍୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଚାଷୀଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏଥିରେ ଆଉ ବିଳମ୍ୱ କରିବା କଥା ନୁହେଁ ବୋଲି ସେ କହିଛନ୍ତି । ସେମାନେ ଘରଠାରୁ ଶହଶହ କିଲୋମିଟର ଦୂରକୁ ଆସିଛନ୍ତି । ସେମାନେ ଏଠାକୁ ଖୁସିରେ ଆସନାହାନ୍ତି । ଏଣୁ ସେମାନଙ୍କ ସମସ୍ୟା ଆମକୁ ବୁଝିବାକୁ ହେବ । ଗଣତନ୍ତ୍ରରେ ସେମାନଙ୍କ କଥାକୁ ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ଉପସ୍ଥାପନ କରିବାକୁ ଆସିଛନ୍ତି । ଏଣୁ ସରକାର ଆଉ ଟାଳଟୁଳ ନ କରି ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରନ୍ତୁ ବୋଲି ସତ୍େୟନ୍ଦ୍ର ଜୈନ ଦାବି କରିଛନ୍ତି ।

Leave A Reply

Your email address will not be published.