୭୧ ବର୍ଷର ରେକର୍ଡ ଭାଙ୍ଗିଲା

0 59

ନୂଆଦିଲ୍ଲୀ, ୩୦ ।୧୧: ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଥଣ୍ଡାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ ନଭେମ୍ବର ମାସର ଥଣ୍ଡା ଗତ ୭୧ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ନଭେମ୍ବର ମାସରେ ଦିଲ୍ଲୀର ହାରାହାରି ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀକୁ ଖସି ଆସିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ୱର ମାସର ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ ରହିଥିଲା । ୧୯୩୮ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ଓ ୧୯୩୧ରେ ୯ ଡିଗ୍ରୀ ଓ ୧୯୩୦ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଆଇଏମଡି କହିଛି ଯେ ନଭେମ୍ବର ମାସରେ ସାଧାରଣତଃ ଦିଲ୍ଲୀର ହାରାହାରି ସର୍ବନିମ୍ନ ତାପମାତ୍ରା ୧୨.୯ ଡିଗ୍ରୀ ରହିଥାଏ । ହେଲେ ୨୦୨୦ ନଭେମ୍ବରର ସର୍ବନିମ୍ନ ତାପମାତ୍ରା ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ଗତବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ୨୦୧୮ ୧୩.୪ ଡିଗ୍ରୀ, ୨୦୧୭ ଓ ୨୦୧୬ରେ ଏହା ୧୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଚଳିତ ବର୍ଷ ନଭେମ୍ୱର ୩, ୨୦, ୨୩ ଓ ୨୪ ତାରିଖରେ ଦିଲ୍ଲୀରେ କୋଲ୍ଡ ୱେବ ଦେଖିବାକୁ ମିଳିଥିଲା । ସୋମବାର ସକାଳୁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । କ୍ରମାଗତ ୮ମ ଦିନ ପାଇଁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଏଭଳି ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି ।

Leave A Reply

Your email address will not be published.