କୋଲକାତା ଏୟାରପୋର୍ଟର ମହୁମାଛିଙ୍କ ଆକ୍ରମଣ

0 45

କୋଲକାତା, ୧ ।୧୧: କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏମିତି ଘଟଣା ଘଟିଛି ଯାହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । କୋଲକାତା ବିମାନ ବନ୍ଦରରେ ମହୁମାଛିଙ୍କ ଦଳ ବିମାନର ଝରକାକୁ ଘେରି ଯାଇଥିଲେ । ସେଠାରେ ଉପସ୍ଥିତ କୌଣସି ବ୍ୟକ୍ତି ଏହାର ଭିଡିଓ କରିଥିଲେ । ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରିବାରେ ଲାଗିଛି । ସୂଚନା ଅନୁଯାୟୀ, ନଭେମ୍ବର ୩୦ରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏୟାର ଭିଷ୍ଟାରାର ଏକ ବିମାନ ପାର୍କିଂରେ ଛିଡା ହୋଇଥିଲା । ହେଲେ କିଛି ସମୟ ମଧ୍ୟରେ କେଉଁଆଡୁ ହଜାର ହଜାର ସଂଖ୍ୟାରେ ମହୁମାଛି ଆସି ବିମାନର ଦୁଇଟି ଝରକାକୁ ଘେରି ଯାଇଥିଲେ । ତୁରନ୍ତ ବିମାନରୁ ସମସ୍ତ କର୍ମଚାରୀଙ୍କୁ ହଟା ଯାଇଥିଲା । ଏଥିସହ ଆଖପାଖର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦୂରକୁ ପଠାଯାଇଥିଲା । ଏହା ପରେ ବିମାନ ବନ୍ଦରରେ ନିୟୋଜିତ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା । ବିମାନ ଉପରେ ପାଣିମାଡ କରାଯାଇ ମହୁମାଛିଙ୍କୁ ହଟାଯାଇଥିଲା । ପାଣି ମାଡ ପରେ ମହୁମାଛି ତଳକୁ ଖସି ପଡିଥିଲେ । ଏହି ସମୟରେ ଅନେକ କର୍ମଚାରୀ ଭୟରେ ଏଣେ ତେଣେ ଦୌଡୁଥିବା ଦେଖିବାକୁ ମିଳିଥିଲା । କାରଣ ଭୟ ଥିଲା ଯେ, କାଳେ ମହୁମାଛି ତାଙ୍କୁ ନ କାମଡନ୍ତୁ । ସୂଚନାଯୋଗ୍ୟ, ଏମିତି ଘଟଣା କୋଲକାତା ବିମାନ ବନ୍ଦରରେ ଗତ ବର୍ଷ ଘଟିଥିଲା । କୋଲକାତାରୁ ଅଗରତାଲା ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନକୁ ମହୁମାଛିଙ୍କ ଦଳ ଘେରି ଯାଇଥିଲେ ।

Leave A Reply

Your email address will not be published.