ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ

0 58

୩୩କୋଟିରୁ ଉର୍ଦ୍ଧ ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ

ପାରଳାଖେମୁଣ୍ଡି : ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି । ଏହି କାରବାରରେ ଚୋରା ଗଞ୍ଜେଇ ମାଫିଆମାନେ କୋଟି କୋଟି ଟଙ୍କା ଅର୍ଜନ କରୁଥିବା ବେଳେ ନାମକୁ ମାତ୍ର ପାରିଶ୍ରମିକରେ ସମ୍ପୃକ୍ତ ଅଞ୍ଚଳର ଗରୀବ ନିରୀହ ଆଦିବାସୀ ମାନଙ୍କୁ ଏଥିରେ ନିୟୋଜିତ କରାଯାଉଛି । ଗତ ନଭେମ୍ବର ୨୨ ତାରିଖ ଠାରୁ ଡିସେମ୍ବର ୧ତାରିଖ ମଧ୍ୟରେ ଗଜପତି ଜିଲ୍ଲାରେ ୩ଥରରେ ମୋଟ ୩୩ କୋଟିରୁ ଉର୍ଦ୍ଧ ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଇଥିବା ଜଣାଯାଇଛି । କୋଟି କୋଟି ଟଙ୍କାର ଏହି ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି । ହେଲେ ଏହି ଘଟଣାରେ ଜଣେ ବି ଧରାପଡିନଥିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ସମସ୍ତ ଘଟଣା କେବଳ ମୋହନା ବ୍ଲକରେ ହୋଇଛି । ଗତ ୨୨ ତାରିଖ ଦିନ ମୋହନା ବ୍ଲକର ଅଡବା ଗ୍ରାମ ପଞ୍ଚାୟତର ହାତୀପଙ୍କା ଗ୍ରାମ ନିକଟରେ ବିସ୍ତିର୍ଣ୍ଣ ଜଙ୍ଗଲ କିସମ ଜମିରେ ଚୋରାରେ ଚାଷ କରାଯାଇଥିବା ୫୨.୪ଏକର ଚୋରା ଗଞ୍ଜେଇକୁ ଚଢାଉ କରି ପୋଡି ଦିଆଯାଇଥିଲା । ଏହାର ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ପୋଲିସ ଜଣାଇଥିଲେ । ପରେ ୨୯ ତାରିଖ ଦିନ ମୋହନା ଥାନା ଅଧିନସ୍ଥ ଯୁବ ଗ୍ରାମ ପଞ୍ଚାୟତର ବୋମ୍ ନାମକ ଏକ ଗ୍ରାମ ନିକଟସ୍ଥ ପାହାଡର ଜଙ୍ଗଲ କିସମ ଜମିରୁ ପୁଣି ୫୨ଏକର ଜମିରେ ଚାଷ କରାଯାଇଥିôବା ଗଞ୍ଜେଇ ଗଛକୁ ପୋଡାଗଲା । ଠିକ୍ ଏହାର ମୂଲ୍ୟ ମଧ୍ୟ ୧୦ କୋଟି ଟଙ୍କା ବୋଲି ପୋଲିସ ସୂଚନା ଦେଇଥିଲେ । ସେହିପରି ଗତକାଲି ଯୁବ ଗ୍ରାମ ପଞ୍ଚାୟତର ଗୁମେରା ସଂରକ୍ଷିତ ଜଙ୍ଗଲରେ ମୋଟ ୬୭.୩୨୪ ଏକର ଜଙ୍ଗଲ କିସମ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ଗୁଡିକୁ ପୋଡି ନଷ୍ଟ କରିଦିଆଯାଇଥିଲା । ଏହାର ମୂଲ୍ୟ ୧୩.୪୦ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ଓ କାରବାରକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଗଜପତି ଜିଲ୍ଲାର ଏକ ଦୁର୍ଗମ ବନପାହାଡ ଘେରା ଅଞ୍ଚଳରୁ ଏଭଳି ଭାବେ ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଉଛି । ହେଲେ ଏହି ୩ଗୋଟି ଘଟଣାରେ ଜଣେ ହେଲେ ଗିରଫ ହୋଇନଥିବା ସୂଚନା ମିଳିଛି । ମୋହନା ବ୍ଲକର ଅଡବା ଓ ମୋହନା ଥାନା ଅଞ୍ଚଳରେ ଗତ ୧୦ଦିନ ମଧ୍ୟରେ ୧୬୭ ଏକରରୁ ଉର୍ଦ୍ଧ ବଣ ପାହାଡ ଘେରା ଜମିରେ ଚୋରାରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଦିଆଯାଇଛି । ଚୋରା ଗଞ୍ଜେଇ ମାଫିଆଙ୍କ ଦ୍ୱାରା ଏହି ବିସ୍ତିର୍ଣ୍ଣ ବଣ ପାହାଡ ଘେରା ଅଞ୍ଚଳରେ ଗଞ୍ଜେଇ ଚାଷ ଏକ ନିତି ଦିନିଆ ବ୍ୟବସାୟରେ ପରିଣତ ହୋଇ ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେକ ଦୁର୍ନିତୀ ଗ୍ରସ୍ତ ବିଭିନ୍ନ କର୍ମଚାରୀ, ସ୍ୱାର୍ଥନ୍ୱେଷୀ ରାଜନେତା ଓ ଦଲାଲ ମାନଙ୍କ ସମ୍ପୂର୍ଣ୍ଣ ସହାୟତାରେ ଚୋରା ଗଞ୍ଜେଇ ଚାଷ ଓ କାରବାର ଗତ ବହୁ ବର୍ଷ ଧରି ଚାଲି ଆସିଛି । ବିଭିନ୍ନ ଚଢାଉ ପୂର୍ବରୁ ମାଫିଆ ମାନଙ୍କ ନିକଟରେ ଏହାର ଖବର ପହଞ୍ଚୁଥିବା ଯୋଗୁଁ ଘଟଣାସ୍ଥଳରେ କେହି ଗିରଫ ହୋଇପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ଓ ପୋଲିସ ଏଥିନେଇ ଆବଶ୍ୟକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ମାଫିଆ ମାନଙ୍କ ସହ ସେମାନଙ୍କୁ ଦଲାଲଗିରି କରୁଥିବା ଲୋକଙ୍କୁ ଜବତ କଲେ ଗଜପତିରେ ଗଞ୍ଜେଇର ଚୋରା କାରବାରକୁ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.