ଗାଡି ଚାଳକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଟଙ୍କା ଲୁଟୁଛି ଜାତୀୟ ରାଜପଥ ପ୍ରାଧିକରଣ

0 69

ବେଆଇନ ଭାବେ ପ୍ରତିଦିନ ଆଦାୟ ହେଉଛି ଲକ୍ଷାଧିକ ଟଙ୍କା

ପୁରୀ : ଏହା ହେଉଛି ପୁରୀ ଭୁବନେଶ୍ୱରର ୩୧୬ ନଂ ଜାତୀୟ ରାଜପଥର ପିପିଲି ନିକଟରେ ଥିବା ଟୋଲଗେଟ୍ । ଗତ ୨୦୧୫ ମସିହା ଜୁଲାଇ ୭ ତାରିଖରେ ଏହି ଟୋଲ ପ୍ଲାଜାର ଶୁଭାରମ୍ଭ ହୋଇଥିଲା । ମାତ୍ର ୨୦୧୫ ଅକ୍ଟୋବର ୧୮ ତାରିଖରୁ ଏଠାରେ ଫି ଆଦାୟ ଗାଡି ଚାଳକଙ୍କ ଠାରୁ କରାଯାଇଥିଲା । ତେବେ ଫି ଆଦାୟ ପକ୍ରିୟା ଏଠାରେ ଏବେ ବି ଜାରୀ ରହିଥିବାରୁ ଏହାକୁ ନେଇ ଉଠିଛି ପ୍ରଶ୍ନ । ଅଭିଯୋଗ ଅନୁଯାୟୀ, ଏହି ଟୋଲ ପ୍ଲାଜା ଏନ୍ଏଚ୍ଏଆଇ ପକ୍ଷରୁ ହୋଇଥିବା ବେଳେ ଏଠାରେ ଗାଇଡଲାଇନକୁ ଅନୁସରଣ କରାଯାଇନାହିଁ । ବିଶେଷ କରି ଅନ୍ୟ ଟୋଲ ଗେଟ ଠାରୁ ୬୦ କି.ମି ଏବଂ ପୌରାଞ୍ଚଳ ଠାରୁ ମାତ୍ର ୫ କି.ମି ଦୂରତା ମଧ୍ୟରେ ଟୋଲ ଗେଟ ରହିବା ନେଇ ଯେଉଁ ନୀୟମ ରହିଛି ତାହା ପିପିଲି ଟୋଲ ପ୍ଲାଜା ପାଇଁ ପ୍ରଯୁଯ୍ୟ ନୁହେଁ । ଏହା ଛଡା ରାଜ୍ୟର ଅନ୍ୟ ଟୋଲ ପ୍ଲାଜା ଗୁଡିକରେ ସ୍ଥାନୀୟ ଲୋକଙ୍କ ପାଇଁ କିଛିଟା କୋହଳ ମନଭାବ ପୋଷଣ କରାଯାଉଥିବା ବେଳେ ପିପିଲି ଟୋଲଗେଟରେ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଯାଉଛି । କେବଳ ଏତିକି ନୁହେଁ ଏହି ପିପିଲି ଟୋଲ ଗେଟରେ ଆବଶ୍ୟକତା ଠାରୁ ଅଧିକ ଜମି ଯାଇଥିବାରୁ ପାଖରେ ଥିବା କେନାଲ ଅବରୋଧ ହେବା ଏବଂ ଏଥି ପାଇଁ ଚାଷ ଜମିକୁ ଠିକ ଭାବେ ଜଳ ସେଚନ କରାଯାଇପାରୁନଥିବା ଅଭିଯୋଗ ଉଠିଛି । ସରକାରଙ୍କ ଫାଷ୍ଟ ଟାଗ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇ ଏହି ଟୋଲ ପ୍ଲାଜାରେ ଗାଡି ଚାଳକଙ୍କ ଠାରୁ ବର୍ଦ୍ଧିତ ମୂଲ୍ୟ ଆଦାୟ କରାଯିବା ଘଟଣାକୁ ସାଧାରଣ ଜନତା ନିନ୍ଦା ମଧ୍ୟ କରିଛନ୍ତି । ଏବେ ଏହି ଟୋଲ ଗେଟକୁ ନେଇ ଦେଖାଦେଇଥିବା ଫୁଜିଭୂତ ଅସନ୍ତୋଷ ସମ୍ପର୍କରେ ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଉପାଧକ୍ଷା ତଥା ବର୍ତ୍ତମାନର ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ନୀତନ୍ ଗଡକରୀଙ୍କୁ ଚିଠି ଲେଖି ଅବଗତ କରାଇବା ସହ ତୁରନ୍ତ ଏଠାରେ ଟୋଲ ଆଦାୟ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି । ଏହି ଟୋଲ ଗେଟର ଆଉ ଏକ ଅଜବ ଦୃଶ୍ୟ ଆମ କ୍ୟାମେରା ନଜରକୁ ଆସିଛି । ଏଠାରେ ଗଣମାଧ୍ୟମ ସଂସ୍ଥାର ଚାରି ଚକିଆ ଗାଡି ଠାରୁ ଜୋର ଜବରଦସ୍ଥ ଫି ଆଦାୟ ହେଉଥିବା ବେଳେ ଗଣମାଧ୍ୟମ କ୍ୟାମେରା ସାମ୍ନାରେ କିନ୍ତୁ ଗାଡି ଗୁଡିକୁ ଦେୟମୁକ୍ତ କରାଯାଇ କିଭଳି ଛାଡି ଦିଆ ଯାଉଛି ତାହାର ଦୃଶ୍ୟ ମଧ୍ୟ ଆମ କ୍ୟାମେରା ଲେନ୍ସରେ ରହିଯାଇଛି । ଏ ସମ୍ପର୍କରେ କିନ୍ତୁ ଟୋଲ ଗେଟ ଦାୟିତ୍ୱରେ ଥିବା ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।

Leave A Reply

Your email address will not be published.